ଗଞ୍ଜାମ: ଭଞ୍ଜନଗର ଅଞ୍ଚଳରେ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଛି । ତାରସିଙ୍ଗି ଥାନା କୁଲାଡ଼ ନିକଟସ୍ଥ ନାରାୟଣପାଟଣା ଗ୍ରାମର ନାରାୟଣ ମନ୍ଦିରରୁ ୧୦ଟି ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଯାହାର ମୂଲ୍ୟ କୋଟିଏରୁ ଉର୍ଦ୍ଧ୍ବ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଖବରମୁତାବକ, ପ୍ରତିଦିନ ଭଳି ମନ୍ଦିର ପୂଜକ ଶୁକ୍ରବାର ରାତି ୮ ଟାରେ ପୂଜା ସାରି ସମସ୍ତ ଦ୍ଵାର ବନ୍ଦ କରି ତାଲା ପକାଇ ଘରକୁ ଯାଇଥିଲେ ଓ ଶନିବାର ସକାଳୁ ମନ୍ଦିରକୁ ଆସି ଦେଖିବା ବେଳକୁ ସବୁ ଦ୍ବାର ଖୋଲା ଅଛି । ଏଥିସହ ମୂର୍ତ୍ତି ସବୁ ଚୋରି ହୋଇଯାଇଛି । ଏହାପରେ ସେ ତୁରନ୍ତ ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ । ତାରସିଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ଗତ ଏକ ବର୍ଷ ଭିତରେ ଗଞ୍ଜାମରେ ବହୁ ମନ୍ଦିରରୁ ଚୋରି ହୋଇଛି । ପ୍ରସିଦ୍ଧ ତାରାତାରିଣୀ ପୀଠ ଏବଂ କୁଲାଡ଼ ତଳ ବ୍ୟାଘ୍ରଦେବୀ ପୀଠରୁ ମଧ୍ୟ ଚୋରି ହୋଇଥିଲା । ପରେ ଏହାର ପର୍ଦ୍ଦାଫାଶ ହୋଇ ଦୁର୍ବୃତ୍ତ ଧରା ପଡ଼ିଥିଲେ । କିନ୍ତୁ ଭଞ୍ଜନଗର ଶିରିଡ଼ି ସାଇ ମନ୍ଦିରରୁ ହୋଇଥିବା ୪୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ଚୋରିରେ ଆଜି ଯାଏଁ କେହି ଧରା ପଡ଼ିନାହାନ୍ତି ଓ ଚୋରି ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇ ନାହିଁ ।
ପୁଣି ଏକ ମନ୍ଦିରରୁ କୋଟିଏରୁ ଉର୍ଦ୍ଧ୍ବ ମୂଲ୍ୟର ମୂର୍ତ୍ତି ଚୋରି ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।
Comments are closed.