ପାଟନା: ବିହାରର କଟିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ଏକ ବସ୍ ଏବଂ ଏକ ପିକଅପ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଘଟଣାଟି ଜାତୀୟ ରାଜପଥ ୩୧ର ବସଗଡା ଛକ ନିକଟରେ ଘଟିଛି।
ମୃତକ ସମସ୍ତେ ପୂର୍ଣ୍ଣିଆର ବାସିନ୍ଦା ଥିଲେ। ୨୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପିକଅପ୍ ଭ୍ୟାନରେ ଥିବା ଲୋକମାନେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିଲେ। ସମ୍ମୁଖରୁ ଏକ ଦ୍ରୁତଗାମୀ ବସ୍ ଆସି ପିକଅପ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ପିକଅପ୍ ଭ୍ୟାନ୍ ଟି ଭାଙ୍ଗି ଯାଇଥିଲା ଏବଂ ଘଟଣା ସ୍ଥଳରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା।