Bus Collides With Truck: ପିକଅପ୍ ସହ ଧକ୍କା ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବସ୍ ;୧୦ ମୃତ, ୩୧ରୁ ଅଧିକ ଆହତ
ମଧ୍ୟପ୍ରଦେଶ:ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଛିନ୍ଦୱାଡାର ନାଗପୁର ରୋଡର ସିମରିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ରସୁଣ ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଛି । ଏଥିରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୧ ରୁ ଅଧିକ ଆହତ ହୋଇଛନ୍ତି ବୋଲି କଲେକ୍ଟର ହରେନ୍ଦ୍ର ନାରାୟଣ ସୂଚନା ଦେଇଛନ୍ତି ।
ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ ଓଭରଟେକ୍ କରିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ଛିନ୍ଦୱାଡା ପୋଲିସ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଦ୍ୱାରା ଏକ ସମ୍ମିଳନୀ ଏବଂ ଏକ ସାଧାରଣ ସଭା ଅନୁଷ୍ଠିତ ହେଉଥିଲା। ଭଣ୍ଡାରକୁଣ୍ଡରୁ ବହୁ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବସ୍ ରେ ଆସିଥିଲେ। ସେଠାରୁ ଫେରୁଥିବା ସମୟରେ ସିମରିଆ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଛଅ ଜଣ ପୁରୁଷ, ତିନି ଜଣ ମହିଳା ଏବଂ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି।
ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ₹୪ ଲକ୍ଷ ଲେଖାଏଁ ଏବଂ ଗୁରୁତରଙ୍କୁ ₹୧ ଲକ୍ଷ ଟଙ୍କା ସହାୟତା ଦିଆଯିବ। ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଦିଆଯିବ।
ଜିଲ୍ଲା କଲେକ୍ଟର ହରେନ୍ଦ୍ର ନାରାୟଣ କହିଛନ୍ତି, ” ବସ୍ରେ ମୋଟ ୪୭ ଜଣ ଯାତ୍ରୀ ଥିଲେ।ଏକ ଦ୍ରୁତଗାମୀ ପିକଅପ୍ ଟ୍ରକ୍ ସାମ୍ନାରୁ ଧକ୍କା ଦେଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ପ୍ରାୟ ଦଶ ଜଣଙ୍କର ମୃତ୍ୟୁ ହୋଇଛି ଓ ପାଞ୍ଚ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ”
ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, “ଛିନ୍ଦୱାଡା-ନାଗପୁର ରାସ୍ତାରେ ଆଜି ସନ୍ଧ୍ୟାରେ ଘଟିଥିବା ସଡ଼କ ଦୁର୍ଘଟଣା ହୃଦୟ ବିଦାରକ। ପ୍ରଭାବିତ ପରିବାର ପ୍ରତି ମୋର ସମବେଦନା। ମୁଁ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରୁଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।”