କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ ଏକ ବଡ଼ଧରଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏଥିରେ ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ରହିଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ତଳଦାନ୍ତଲିଙ୍ଗି ଗାଁର ଆଲୋକ ଓରଫ ଆଲବୁଟ୍ କୁମାର ପାତ୍ର, ଗୋପାଳପୁର ଥାନା ଆମ୍ବପୁଆର ହେମନ୍ତ ସେଠୀ ଓ ଭବାନୀପାଟଣା ନିକଟ ଜଳେଶ୍ବର ମନ୍ଦିରପଡ଼ା ଗାଁର ଶକ୍ତିରଞ୍ଜନ ଦାସ । ଏହି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଏ ସମ୍ପର୍କରେ ଗଣାମାଧ୍ୟମକୁ ସୂଚନା ଦେଇ ବାଲିଗୁଡା ଏସ୍ଡିପିଓ ରମେନ୍ଦ୍ର ପ୍ରସାଦ ଓ ତୁମୁଡ଼ିବନ୍ଧ ଥାନାଧିକାରୀ ଆଶୁତୋଷ ଜେନା କହିଛନ୍ତି ଯେ, ଗତକାଲି ଏକ ପିକଅପ୍ ଭ୍ୟାନ୍ ଯୋଗେ ବେଆଇନ ଭାବେ ଚାଲାଣ ହେଉଥିବା ଖବର ମିଳିଥିଲା । ଏନେଇ ପୂର୍ବରୁ ଯୋଜନାମୁତାବକ ପୋଲିସ ଲୁଚି ରହିଥିବାବେଳେ ୧୦ ଟନ୍ ବିସ୍ଫୋରକ ସାମଗ୍ରୀ ଜବତ କରିବାରେ ତୁମୁଡ଼ିବନ୍ଧ ପୋଲିସ ସଫଳ ହୋଇଛି । ଏହି ଘଟଣାରେ ବିସ୍ଫୋରକ ସାମଗ୍ରୀ ଚାଲାଣରେ ବ୍ୟବହୃତ ପିକପଭ୍ୟାନକୁ ଜବତ କରାଯାଇଛି ।
ତୁମୁଡ଼ିବନ୍ଧ ମାଇନିଂ କଂପାନୀ ସହ ମାଓ ଲିଙ୍କ୍ ରହିଛି । ୧୦ ଟନ୍ ବିସ୍ଫୋରକ ଜବତ ପରେ ଗୁଇନ୍ଦା ହାତରେ ସାଙ୍ଘାତିକ ସୁରାଗ ଲାଗିଛି । ଜିଲୋଟିନ୍ରୁ କମ୍ପାନୀ ତଥ୍ୟ ମିଳିଛି, ଖୁବଶୀଘ୍ର ମାଷ୍ଟର ମାଇଣ୍ଡ ଧରାପଡ଼ିବ ବୋଲି ସେମାନେ କହିଛନ୍ତି ।
ମାଓବାଦୀଙ୍କୁ ଯୋଗାଣ ନେଇ ସନ୍ଦେହ କରାଯାଉଛି । ଯାହାର ଚେର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ଚମାଖଣ୍ଡି ଥାନା ଜଗନ୍ନାଥପୁର ଗାଁରୁ ଆନ୍ଧ୍ରପ୍ରଦେଶର କାକିନାଡ଼ା ସହର ପର୍ଯ୍ୟନ୍ତ ଲମ୍ବିଛି । ମାଓବାଦୀଙ୍କୁ ମଧ୍ୟ ବିସ୍ଫୋରକ ସାମଗ୍ରୀ ଯୋଗାଣ ଆଶଙ୍କାକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଥିବା ସୂଚନା ରହିଛି ।
Comments are closed.