Latest Odisha News

ପୁରୀରେ ବେଳାଭୂମିରେ ମରି ପଡିଛନ୍ତି ୧୦ କଇଁଛ, ପୋଷ୍ଟମର୍ଟମ ନକରି ବାଲି ଖୋଳି ପୋତିଲା ବନ ବିଭାଗ

ପୁରୀ: ବିପଦରେ ଅଲିଭ ରିଡଲେ କଇଁଛ । ପୁରୀ ଉପକୂଳରେ ଦେଖାଦେଇଛି କଇଁଛ ମଡକ । ଗତକାଲି ରାତିରେ ପୁରୀ ବେଳାଭୂମିରେ ପ୍ରାୟ ୧୦ ଟି କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । ପ୍ରାୟ ସବୁ କଇଁଛ ଙ୍କ ଆଖିରେ ରହିଥିଲା କ୍ଷତ ଓ ଦେହ ସାରା ଜୁଡୁବୁଡୁ ହୋଇ ଲାଗିଥିଲା ରକ୍ତ । ଗୋଟିଏ ପଟରେ କଇଁଛ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଭଳି ଅଭାବନୀୟ ଘଟଣା କଇଁଛ ସୁରକ୍ଷାର ପୋଲ ଖୋଲିଛି ।

ଗତବର୍ଷ ହକି ବିଶ୍ଵକପ ସମୟରେ ଅଲିଭ ରିଡଲେ ର ପ୍ରତୀକ ଓଲିକୁ ମାସ୍କଟ ରୂପରେ ନିଆଯାଇ ବଡକରି ବ୍ରାଣ୍ଡିଂ କରାଯାଇଥିବା ବେଳେ ସତ ଓଲିକୁ ବିପଦରେ ଠେଲି ଦେଇ ହାତ ବାନ୍ଧି ବସିବାର ଘଟଣା ସରକାରଙ୍କ ମିଛ ଓଲି ପ୍ରୀତିକୁ ସାମ୍ନାକୁ ଆଣିଛି । ସେପଟେ ଏହାର ସାମ୍ପୂଲ୍ କଲେକ୍ଟ ନକରି ପୋଷ୍ଟ ମର୍ଟମ ନ କରାଯାଇ ଅତି ନିର୍ଦ୍ଦୟ ଭାବରେ ଏମାନଙ୍କ ମୃତ ଶରୀରକୁ ବାଲି ଖୋଳି ଲୁଚାଇଦେଇଛି ବନବିଭାଗ ।

ସେପଟେ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ନଭେମ୍ବର ରୁ ମେ ମାସ ପର୍ଯ୍ୟନ୍ତ ଉପକୂଳରେ ଟ୍ରଲର ଓ ମାଛ ମାରିବା ପାଇଁ ବାରଣ ରହିଥାଏ । କିନ୍ତୁ ନିୟମ ଉଲ୍ଲଂଘନ ଯୋଗୁଁ ଟ୍ରଲର ମାଡ଼ରେ କିମ୍ବା ଜାଲରେ ପଡି ଅଲିଭ ରିଡଲେଙ୍କ ମୃତ୍ୟୁ ହେଉଛି । ଏନେଇ ବନ ବିଭାଗ, ମତ୍ସ୍ୟ ବିଭାଗ ଓ ମେରାଇନ୍ ର ସମନ୍ଵୟରେ ତାଳ ମେଳ ରହୁନାହିଁ । ଯେଉଁ କାରଣରୁ ଉପକୂଳରେ ଅସୁରକ୍ଷିତ ହୋଇ ପଡିଛନ୍ତି ଏହି ବିରଳ ପ୍ରଜାତି ।
ଗୋଟିଏ ପଟରେ ଅସୁରକ୍ଷିତ ବେଳାଭୂମି ଯୋଗୁଁ ପୁରୀ, କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି ଉପକୂଳରୁ ଗଣ ଅଣ୍ଡାଦାନ ପାଇଁ ଆସୁଥିବା କଇଁଛ ମାନେ ମୁହଁ ଫେରାଉଥିବା ବେଳେ, ଅନ୍ୟପଟରେ ନୀରବଦ୍ରଷ୍ଟା ସାଜିଛନ୍ତି ସରକାର । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

ସେପଟେ କେବଳ ଟ୍ରଲର କାହିଁକି ଅନେକ ସମୟରେ ଜାଲରୁ ଲାଗିଲେ ଇଞ୍ଜେକସନ ଦେଇ ମଧ୍ୟ ଅନେକ କଇଁଛ କୁ ମାରିଦେବାର ନଜର ଆସିଥାଏ । ଏହି ବିରଳ ପ୍ରଜାତି ଙ୍କ ସୁରକ୍ଷା ପ୍ରତି ସରକାରଙ୍କ ଦାୟିତ୍ବହୀନତା କୁ ସହଜରେ ଗ୍ରହଣ କରିପାରିନାହାନ୍ତି ପର୍ଯ୍ୟଟକ ଓ ପରିବେଶବିତ୍ । ଏନେଇ ଫିସରି କିମ୍ବା ବନ ବିଭାଗ କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେବାକୁ ସେ ମନାକରିଦେଇଛନ୍ତି ।

Leave A Reply

Your email address will not be published.