Latest Odisha News

ରାଜ୍ୟରେ ବିଜେପି ସରକାରଙ୍କ ୧୦୦ ଦିନ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ବିଜେପି ସରକାରର ୧୦୦ ଦିନର ପୂର୍ତ୍ତି ଅବସରରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ପରେ ପ୍ରଥମେ ପତିତପାବନଙ୍କୁ ଦର୍ଶନ କରିଥିଲେ । ପରେ ଭିତର କାଠ ନିକଟରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଥିଲେ । ସେହିପରି ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦର୍ଶନ କରିଥିଲେ । ଦର୍ଶନ ସାରି ଫେରିବା ସମୟରେ ନୀଳଚକ୍ରରେ ଧ୍ଵଜା ପରିବର୍ତ୍ତନ ଦୃଶ୍ୟ ଦେଖି ବେଶ୍ ଭାବ ବିଭୋର ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୪ ହାତିଆ ବାନା ଲାଗି କରାଯାଇଛି ବୋଲି କହିଛନ୍ତି ବରିଷ୍ଠ ସେବାୟତ । ଦର୍ଶନ ସାରି ଫେରିବା ପରେ ମୁଖ୍ୟମନ୍ତ୍ରୀ କିଛି ସମୟ ବାଇଶି ପାହାଚରେ ବସି ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶାରେ ବିଜେପି ସରକାର ଗଠନ କରିଛି । ନୂଆ ସରକାର ନୂଆ ଓଡ଼ିଶା ତଥା ସମୃଦ୍ଧ ଓଡିଶା ଗଠନ କରିବା ନେଇ ପ୍ରମୁଖ କାର୍ଯ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଗତ ଶହେ ଦିନ ଭିତରେ ବିଜେପି ଲୋକଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛି । ଏହାଦ୍ବାରା ଓଡ଼ିଶାବାସୀଙ୍କ ଆସ୍ଥା ବିଜେପି ସରକାର ଉପରେ ବଢ଼ି ଚାଲିଛି । ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ମଧ୍ୟ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଗାମୀ ପାଞ୍ଚ ବର୍ଷରେ ଓଡ଼ିଶାକୁ ସାରା ଦେଶରେ ଏକ ବିକଶିତ ରାଜ୍ୟରେ ପରିଗଣିତ କରିବା ପାଇଁ ବିଜେପି ସରକାର କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସହ ବିଜେପିର ଅନେକ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.