ନୂଆଦିଲ୍ଲୀ: ସେଦିନ ଏକ କାରରେ ବସି ବାହାରି ଯାଇଥିଲେ ହସିନା । ତାହା ତାଙ୍କର ବାଂଲାଦେଶରେ ଶେଷ ମୂହୂର୍ତ୍ତ ଥିଲା । ଏହାପରେ ଅଗଷ୍ଟ ୫ରେ ସେ ବାଂଲାଦେଶରେ ଛାଡି ଭାରତରେ ମୋଦିଙ୍କ ଶରଣ ପଶିଥିଲେ । ଏହାରି ଭିତରେ ୧୦୦ ଦିନ ବିତିଯାଇଛି । ୧୦୦ ଦିନ ଭିତରେ ବହୁତ କିଛି ବଦଳିଯାଇଛି । ବାଂଲାଦେଶରେ ଶେଖ୍ ହସିନା ସରକାର ପ୍ରତି ଆହୁରି ଅଧିକ ଆକ୍ରୋଶମୂଳ ହୋଇଯାଇଛନ୍ତି ଲୋକେ । ତାଙ୍କ କାରଣରୁ ହିଁ ବାଂଲାଦେଶରେ ହିଂସା ସୃଷ୍ଟି ହୋଇଥିଲା । ତେଣୁ ସେ ଦଣ୍ଡିତ ହେବା ଦରକାର ବୋଲି ଏବେ ବି ଦାବି ରହିଛି ।
ତେବେ କୁହାଯାଉଛି, ରାଜଧାନୀରେ ଦିଲ୍ଲୀରେ କାଳେ ସୁରକ୍ଷା ବଳୟରେ ଛାଉଣି ସହ ସେଫ୍ ହାଉସରେ ଲୁକାୟିତ ଭାବେ ରହିଛନ୍ତି ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ହେଲେ ଦିଲ୍ଲୀ ହସିନାଙ୍କ ପାଇଁ ଅଜଣା ସହର ନୁହେଁ । ୧୯୭୫ ମସିହାରେ ତାଙ୍କ ପିତା ତଥା ବାଂଲାଦେଶର ରାଷ୍ଟ୍ରପତି ମୁଜିବୁର ରହମାନଙ୍କୁ ହତ୍ୟା କରାଯିବା ପରେ ସେ ତାଙ୍କ ପରିବାର ସହ ଜାତୀୟ ରାଜଧାନୀରେ ରହିଥିଲେ। ହସିନା ତାଙ୍କ ସ୍ବାମୀ, ସନ୍ତାନ ଏବଂ ଭଉଣୀଙ୍କ ସହ ୧୯୭୫ ରୁ ୧୯୮୧ ପର୍ଯ୍ୟନ୍ତ ଛଅ ବର୍ଷ ଧରି ଦିଲ୍ଲୀର ପାଣ୍ଡାରା ରୋଡରେ ରହୁଥିଲେ। ଏହାପରେ ବାଂଲାଦେଶରେ ରାଜନୈତିକ ସ୍ଥିତି ଏବହ ପ୍ରଧାନମନ୍ତ୍ରୀ ପଦ ପାଇଁ ସ୍ବେଦେଶ ଫେରିଯାଇଥିଲେ ହସିନା । ଏଥିପାଇଁ ସବୁ କ୍ଷେତ୍ରରେ ଭାରତର ହିଁ ସହାୟତା ଲୋଡିଛନ୍ତି ହସିନା । ହେଲେ ତାଙ୍କୁ ଜଣାନଥିଲା ଯେ ସେ ପୁଣି ଭାରତକୁ ଫେରିବେ ଏବଂ ଦ୍ୱିତୀୟ ଥର ଭାରତରେ ଗୁପ୍ତ ଜୀବନଯାପନ କରିବେ।
ସେପଟେ କିନ୍ତୁ ବାଂଲାଦେଶରେ ହସିନାଙ୍କ ବିରୋଧୀ ବଢିଯାଇଛନ୍ତି । ଅନ୍ତରୀଣ ସରକାରରେ ମହମ୍ମଦ ୟୁନୁସ ଆସିବା ପରେ ଏବେ ବାଂଲାଦେଶକୁ ହସିନାଙ୍କ ପ୍ରବେଶ ଯେମିତି ଏକ ପ୍ରକାର ବିପଦ । ଏହାରି ଭିତରେ ବାଂଲାଦେଶରେ ୟୁନୁସ ସରକାର ଗଢା ହେବାର ରବିବାର ୧୦୦ ଦିନ ପୁରିଛି । ଏହି ଅବସରରେ ହସିନାଙ୍କୁ ନେଇ କଡା ସନ୍ଦେଶ ଦେଇଛନ୍ତି ଅନ୍ତରୀଣ ୟୁନୁସ ସରକାର ।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ନେଇ ଭାରତ ସରକାରଙ୍କ ନିକଟରେ ବିଧିବଦ୍ଧ ଆବେଦନ କରିବାକୁ ଦେଶର ଅନ୍ତରୀଣ ସରକାର ଯୋଜନା କରିଛନ୍ତି। ଅନ୍ତରୀଣ ସରକାରକୁ ୧୦୦ ଦିନ ପୂରଣ ଅବସରରେ ରବିବାର ଦେଶବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ସମ୍ବୋଧନ କରି ୟୁନୁସ୍ କହିଛନ୍ତି, ଜୁଲାଇ-ଅଗଷ୍ଟ ମାସରେ ବାଂଲାଦେଶ ହିଂସାରେ ପୀଡିତ ପ୍ରତିଟି ପରିବାରକୁ ତାଙ୍କ ସରକାର ନ୍ୟାୟ ପ୍ରଦାନ କରିବ। ପୀଡିତଙ୍କୁ ନ୍ୟାୟ ପ୍ରଦାନ ଲାଗି ଭାରତରେ ଆତ୍ମଗୋପନ କରିଥିବା ପୂର୍ବତନ ସରକାରର ମୁଖ୍ୟ ହସିନାଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଯୋଜନା କରାଯାଉଛି। ବାଂଲାଦେଶ ହିଂସା ପାଇଁ ଦାୟୀ ହସିନାଙ୍କ ବିରୋଧରେ ଆବଶ୍ୟକ ନ୍ୟାୟିକ ବିଚାର କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ସପ୍ତାହେ ପୂର୍ବରୁ ବାଂଲାଦେଶ ସରକାର କହିଥିଲେ ହସିନାଙ୍କୁ ପ୍ରତ୍ୟର୍ପଣ ଲାଗି ଇଣ୍ଟରପୋଲର ସହାୟତା ଲୋଡାଯିବ। ଜୁଲାଇ-ଅଗଷ୍ଟରେ ଦେଶରେ ହୋଇଥିବା ହିଂସାରେ ପ୍ରାୟ ୮୦୦ ଲୋକ ପ୍ରାଣ ହରାଇଥିଲେ। ଏହି ହିଂସାକୁ ନେଇ ଶେଖ ହସିନା ଓ ତାଙ୍କ ଦଳର ନେତାଙ୍କ ବିରୋଧରେ ୬୦ରୁ ଅଧିକ ମାମଲା ରୁଜୁ କରାଯାଇଛି।