Latest Odisha News

BREAKING NEWS

ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ବସିଲେ ୧୦୫ ବର୍ଷୀୟା ବୃଦ୍ଧା !

ଭୁବନେଶ୍ୱର: ବିଦ୍ୟା ଆହରଣ ଲାଗି କେବେବି ବୟସ ପ୍ରତିବନ୍ଧକ ସାଜେ ନାହିଁ ବୋଲି କେରଳର ଜଣେ ବୟସ୍କା ପରିକ୍ଷାର୍ଥୀଙ୍କ ପାଠ ପ୍ରତି ତାଙ୍କର ଆକର୍ଷଣରୁ ଜଣାପଡ଼ିଛି । ନିକଟରେ କେରଳ ରାଜ୍ୟ ସାକ୍ଷରତା ମିଶନ ପକ୍ଷରୁ ସୂଚନା ମିଳିଛି ଯେ, ୧୦୫ ବର୍ଷ ବୟସ୍କା ଜଣେ ବୃଦ୍ଧା ୪ର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ।

ଭାଗୀରଥୀ ଆମ୍ମା ଯିଏକି ପିଲାଟି ବେଳୁ ନିଜର ମାଆଙ୍କୁ ହରାଇ ଥିବାରୁ ସାନ ସାନ ଭାଇ ଭଉଣୀଙ୍କୁ ମାଆ ପରି ପାଳନ ପୋଷଣ କରିଥିଲେ । ତେଣୁ ପ୍ରଚୁର ଇଚ୍ଛା ଥିଲେ ମଧ୍ୟ ସେ ବିଦ୍ୟା ଅଧ୍ୟୟନ କରିପାରିନଥିଲେ । ଖାଲି ସେତିକି ନୁହେଁ, ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିବା ବେଳେ ସେ ବିଧବା ହୋଇ ପଡ଼ିଥିଲେ । ତାଙ୍କର ୬ଟି ପିଲାଙ୍କୁ ମଣିଷ କରିବାକୁ କଠିନ ପରିଶ୍ରମ କରି ରୋଜଗାର କରିବାକୁ ଲାଗିପଡ଼ିଲେ । ଅଧ୍ୟୟନ କରିବାକୁ ତାଙ୍କୁ ସମୟ ମିଳିନଥିଲା । ମାତ୍ର ସେ ପାଠ ପଢିବାକୁ ଦେଖିଥିବା ସ୍ୱପ୍ନ କିନ୍ତୁ ଭୁଲିନଥିଲେ । ସେ ଜୀବନସାରା ସୁଯୋଗ ଉଣ୍ଡୁଥିଲେ ଯେବେବି ହେଉ ପାଠ ପଢିବେ ।

କେରଳର କୋଲାମ ଜିଲ୍ଲାର ବାସିନ୍ଦା ଭାଗିରଥୀ ଆମ୍ମା ସାକ୍ଷରତା ମିଶନ ପକ୍ଷରୁ ଉତ୍ସାହିତ ହୋଇ ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ବସି ପରୀକ୍ଷା ଦେଇଥିଲେ ।

ଏହି ସାକ୍ଷରତା ମିଶନର ପକ୍ଷରୁ ବସନ୍ତ କୁମାର ନାମକ ଜଣେ କର୍ମକର୍ତ୍ତା ୧୦୫ ବର୍ଷୀୟା ଆମ୍ମାଙ୍କ ସମ୍ପର୍କରେ କହନ୍ତି ଯେ, ଭାଗିରଥୀ ଆମ୍ମା ଲେଖିବାରେ ଖୁବ୍ କଷ୍ଟ ଅନୁଭବ କରିଥିଲେ । ସେ ୩ଟି ପ୍ରଶ୍ନର ଉତ୍ତର ଲେଖିଥିଲେ, ଏହାକୁ ଲେଖିବାକୁ ତାଙ୍କୁ ଲାଗିଥିଲା ପ୍ରାୟ ୩ ଦିନ । ସେ ଗଣିତ, ମାଲାୟାଲାମ ଏବଂ ପରିବେଶ ବିଷୟରେ ପରୀକ୍ଷା ଦେଇଥିଲେ । ତାଙ୍କୁ ତାଙ୍କ ସାନ ଝିଅ ଲେଖିବାରେ ସାହାଯ୍ୟ କରିଥିଲେ ।

ବସନ୍ତ କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ଆମ୍ମା ୪ର୍ଥ ଶ୍ରେଣୀ ପରୀକ୍ଷା ଦେଇ ସେ ଯେତେମାତ୍ରାରେ ଖୁସି ନୁହେଁ ବରଂ ତାଠୁ ଅଧିକ ଖୁସି ଆମ୍ମାଙ୍କର ପାଠପଢା ପ୍ରତି ଦୃଢ ଆଶା ପୋଷଣ । ତାଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା ସେ ସେତେବେଳେ ୩ ଶ୍ରେଣୀ ପଢୁଥିଲେ । ଏହି ବୟସରେ ମଧ୍ୟ ଆମ୍ମାଙ୍କର ତୀକ୍ଷଣ ସ୍ମୃତି ଶକ୍ତି ଏବଂ ଭଲ ଦୃଷ୍ଟି ଶକ୍ତି ମଧ୍ୟ ରହିଛି ।

ତାଙ୍କର ୬ଟି ସନ୍ତାନଙ୍କ ମଧ୍ୟରୁ ଏବେ ଜଣେ ଆଉ ନାହାନ୍ତି । ସେହିପରି ତାଙ୍କର ୧୫ ଜଣ ନାତି ନାତୁଣୀଙ୍କ ମଧ୍ୟରୁ ୩ ଜଣ ନାହାନ୍ତି । ଏହି ମହିଳାଙ୍କର ଏବେ ୧୨ଜଣ ଅଣନାତି ନାତୁଣୀ ଅଛନ୍ତି ।

Leave A Reply

Your email address will not be published.