ଢେଙ୍କାନାଳ: ମାଟ୍ରିକ ପରୀକ୍ଷା ସରିବା ଖୁସି ମନାଇବାର ତାଲିକା ପ୍ରସ୍ତୁତ କରିଥିଲେ । ସେହି ତାଲିକାରୁ ଗୋଟିଏ ଥିଲା ଅଜାଘର ବୁଲିବା । ମନ ଖୁସିରେ ବାପାଙ୍କ ସାଙ୍ଗାରେ ଗାଡିରେ ବସି ଯାଉଥିଲେ ଅଜାଘର । ତା ପରବର୍ତ୍ତୀ ଅନେକ କାର୍ଯ୍ୟକ୍ରମ ଥିଲା । ହେଲେ ଏତେ ଖୁସିରେ କାହାର ନଜର ଲାଗିଗଲା କି ? କାହିଁକି ସେ ଖୁସି ମନାଇବା ପୂର୍ବରୁ ସେ ଏମିତି ନୀରବି ଗଲେ ? ଝିଅର ନିଶ୍ଚଳ ଶରୀରକୁ ଦେଖି ଏମିତି କିଛି ଭାବୁଛନ୍ତି ପରିବାର ଲାେକେ ।
ପରଜଙ୍ଗ ଥାନା ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ପାଣିଭଣ୍ଡାର ଗାଁର ସ୍ୱାତୀ ସୁଚରିତା ଜେନା । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ସରିବା ପରେ ବାପାଙ୍କ ସହିତ ବାଇକରେ ଆଜି ଭୁବନ ଥାନା ଧଳପଡ଼ା ସ୍ଥିତ ଅଜା ଘରକୁ ଯାଉଥିଲେ । ହେଲେ କିଏ ଜାଣିଥିଲା, ଏମିତି ବାଟରେ ତାଙ୍କୁ ମୃତ୍ୟୁ ଛକି ବସିଛି ବୋଲି ? ଭୁବନ ଥାନା ୫୩ ନଂ ଜାତୀୟ ରାଜପଥର ଯମୁନାକୋଟ ଛକ ନିକଟରେ ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ ।
ରାସ୍ତାକଡକୁ ଛିଟିକି ପଡିଥିଲେ ବାପା-ଝିଅ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ସ୍ୱାତୀଙ୍କୁ ମୃତ ଘୋଷଣା କରିଥିଲେ । ବାପା ଅଭିରାମ ଗୁରୁତର ଅବସ୍ଥାରେ ଭୁବନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ଘଟାଇବା ପରେ ଟ୍ରକକୁ ଛାଡି ଡ୍ରାଇଭର ଜଣଙ୍କ ଫେରାର ହୋଇ ଯାଇଛି । ଭୁବନ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରି ତଦନ୍ତ ଜାରି ରଖିଛି ।
Comments are closed.