Bangladeshi Fundamentalist Groups: ଉତ୍ତର-ପୂର୍ବକୁ ଅସ୍ଥିର କରିବାର ବଡ଼ ଷଡ଼ଯନ୍ତ୍ର ପଣ୍ଡ…କୁଖ୍ୟାତ JMBର ୧୧ ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ:ଆସାମରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (JMB) ସହିତ ଜଡିତ ଏଗାର ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଆସାମର ଚାରୋଟି ଭିନ୍ନ ଭିନ୍ନ ଜିଲ୍ଲା: ବରପେଟା, ବକ୍ସା, ଚିରଙ୍ଗ ଏବଂ ଦାରାଙ୍ଗରୁ ଏହି ଗିରଫଦାରୀ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ପୂର୍ବ ଆକାଶ (Purba Akash) ନାମକ ଏକ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରୁଥିଲେ। ଏହି ପ୍ଲାଟଫର୍ମ ମାଧ୍ୟମରେ ନୂତନ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ତାଲିମରେ ଅସ୍ତ୍ର ବ୍ୟବହାର କିପରି କରିବେ ସେ ବିଷୟରେ ନିର୍ଦ୍ଦେଶ ମଧ୍ୟ ଅନ୍ତର୍ଭୁକ୍ତ ଥିଲା।
ଆସାମ STF ଦଳ ଏହି ସମସ୍ତ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ଏହି ଅପରେସନ “ଅପରେସନ୍ ପ୍ରଘାଟ” ନାମରେ କରାଯାଇଥିଲା।
ଆସାମରେ ଭୟଙ୍କର ଜିହାଦୀ ଷଡ଼ଯନ୍ତ୍ର ଥିଲା। ଗିରଫ ଆତଙ୍କବାଦୀମାନେ ଆସାମରେ ଏକ ବଡ଼ ଜିହାଦୀ ନେଟୱାର୍କ ସ୍ଥାପନ କରି ହିଂସାତ୍ମକ କାର୍ଯ୍ୟକଳାପ ଚଳାଇବାକୁ ଚାହୁଁଥିଲେ। ଗୁଇନ୍ଦା ସୂଚନା ପାଇବା ପରେ ଆସାମ STF ଏହି ଅପରେସନ ଆରମ୍ଭ କରିଥିଲା।
ଗୌହାଟି ପୋଲିସ କମିଶନର ପାର୍ଥସାରଥୀ ମହନ୍ତ ଗଣମାଧ୍ୟମକୁ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଗିରଫ କରିଛି। ସେ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଆସାମରୁ ଏବଂ ଜଣେ ତ୍ରିପୁରାରୁ ଗିରଫ କରାଯାଇଛି।
ପୋଲିସ ଦାବି କରିଛି ଯେ ଗିରଫ ହୋଇଥିବା ଲୋକମାନେ ‘ଇମାମ୍ ମହମୁଦ କାଫଲା’ (IMK) ମଡ୍ୟୁଲର ସଦସ୍ୟ। ତଦନ୍ତରୁ ଜଣାପଡିଛି ଯେ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆସାମ ସମେତ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଅସ୍ଥିର କରିବା। ଏହି ଅଭିଯୁକ୍ତମାନେ ଅଞ୍ଚଳରେ ‘ମୁସଲିମ ପ୍ରାଧାନ୍ୟ’ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିଲେ । ସେମାନେ ‘ଗଜୱାତୁଲ୍ ହିନ୍ଦ୍’ ଚିନ୍ତାଧାରାର ପ୍ରସାର କରୁଥିଲେ।
ଜମାତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ (JMB), ଅନସାରୁଲ୍ଲା ବାଂଲା ଟିମ୍ (ABT), ଏବଂ ଅଲ-କାଏଦା (AQIS)ର ବରିଷ୍ଠ ନେତାମାନେ ଭାରତୀୟ ମଡ୍ୟୁଲକୁ ସକ୍ରିୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଖ ହସିନାଙ୍କ ସରକାରର ପତନ ପରେ, IMKର ଆମିରଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା, ଯାହା ପରେ ଭାରତ ବିରୋଧୀ ଷଡ଼ଯନ୍ତ୍ର ତୀବ୍ର ହୋଇଥିଲା। ଏହି ସମ୍ପୂର୍ଣ୍ଣ ସିଣ୍ଡିକେଟ୍ ସୋସିଆଲ ମିଡିଆ ମାଧ୍ୟମରେ କାର୍ଯ୍ୟ କରୁଥିଲେ ।
ଆସାମରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ନାସିମ ଉଦ୍ଦିନ ଛଦ୍ମନାମ ତମିମ (୨୪), ଜୁନାବ ଅଲି (୩୮), ଆଫ୍ରାହିମ ହୁସେନ (୨୪), ମିଜାନୁର ରହମାନ (୪୬), ସୁଲତାନ ମହମୁଦ (୪୦), ମହମ୍ମଦ ସିଦ୍ଦିକ ଅଲି (୪୬), ରସିଦୁଲ ଆଲାମ (୨୮), ମହୀବୁଲ ଖାନ (୨୫), ଶାରୁକ ହୁସେନ(୨୨)ଓ ଗିରଫ ବ୍ୟକ୍ତିଙ୍କୁ ମହମ୍ମଦ ଦିଲବର ରଜାକ (୨୬) ବୋଲି ଚିହ୍ନଟ କରାଯାଇଛି।
ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଆସାମରେ ଜିହାଦୀ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛନ୍ତି ।