Latest Odisha News

BREAKING NEWS

ନାଟକୀୟ ଢଙ୍ଗରେ ଧରାପଡିଲେ ୧୧ ନକଲି ଯବାନ

ଆସାମ: ପାଖରେ ନଥିଲା କୌଣସି ପରିଚୟ ପତ୍ର । ହେଲେ ୪ଜଣ ପିନ୍ଧି ବୁଲୁଥିଲେ ଭାରତୀୟ ସେନାର ପୋଷାକ । ସନ୍ଦିଗ୍ଧ ଅବସ୍ଥାରେ ଗୌହାଟି ଏୟାରପୋର୍ଟ ନିକଟରେ ୪ଜଣ ବ୍ୟକ୍ତି ଭାରତୀୟ ସେନାର ନକଲି ପୋଷାକ ପିନ୍ଧି ଚକ୍କର କାଟୁଥିବାବେଳେ ସେମାନଙ୍କୁ ଗିରଫ କରିଛି ଆସାମ ପୋଲିସ ।

ସୋମବାର ରାତିରେ ପୋଲିସର ପେଟ୍ରୋଲିଂ ଟିମ୍ ନଜରକୁ ଆସିଥିଲେ ୪ ଜଣ ବ୍ୟକ୍ତି । ପିନ୍ଧିଥିଲେ ଭାରତୀୟ ସେନାର ପୋଷାକ । ତଥାପି ପୋଲିସ ମନରେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲା । ତେବେ କୌଣସି ସନ୍ତୋଷଜନକ ଉତ୍ତର ଓ ପରିଚୟ ପତ୍ର ନମିଳିବାରୁ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା ।

ଜେରାରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ । ୪ଜଣଙ୍କ ବୟାନ ଅନୁଯାୟୀ ଏୟାରପୋର୍ଟ ନିକଟରେ ଘୁରି ବୁଲୁଥିବା ଆଉ ୭ଜଣ ସେନା ପୋଷାକ ପିନ୍ଧା ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଥିଲା । ଅଧିକ ପଚରାଉଚରା କରିବା ପରେ ସାମ୍ନାକୁ ଆସିଥିଲା ନାଟକୀୟ କାହାଣୀ ।

ଧୀରମଣି ଗୋସ୍ୱାମୀ ନାମକ ଜଣେ ବ୍ୟକ୍ତି ୧୦ଜଣଙ୍କୁ ଏୟାରପୋର୍ଟରେ ସିକ୍ୟୁରିଟି ଗାର୍ଡ ଚାକିରୀ କରାଇଦେବା କହି ଟଙ୍କା ହଡପ କରିଥିଲା । ଏପରିକି ସେମାନଙ୍କୁ ମିଥ୍ୟା ନିଯୁକ୍ତିପତ୍ର ମଧ୍ୟ ଦେଇଥିଲା । ଯାହାକୁ ସତ ଭାବି ସମସ୍ତ ୧୦ଜଣ ବ୍ୟକ୍ତି ଏୟାରପୋର୍ଟ ନିକଟରେ ଡ୍ୟୁଟି କରିବାକୁ ବାହାରିପଡିଥିଲେ ।

ଏହି ମାମଲାରେ ଧୀରମଣି ସମେତ ଅନ୍ୟ ୧୦ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ କିଛି ନକଲି କାଗଜପତ୍ର ସମେତ ପରିଚୟପତ୍ର ମଧ୍ୟ ଜବତ ହୋଇଛି ।

Leave A Reply

Your email address will not be published.