ରାୟପୁର: ବସ୍ତର ଡିଭିଜନର ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁରରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । ‘ପୁର୍ନବାସରୁ ପୁନର୍ଜୀବନ’ ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ, ବୁଧବାର ଅପରାହ୍ନରେ ୧୧ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଓ ସ୍ଥାୟୀ ଭାବରେ ହିଂସାର ପଥ ପରିତ୍ୟାଗ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ମାଓବାଦୀମାନଙ୍କ ମଧ୍ୟରେ ୫ ଜଣ ମହିଳା ମାଓବାଦୀ ଅଛନ୍ତି।
ସୂଚନାଥାଉକି, ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମୁଣ୍ଡରେ ମୋଟ ୩୭ ଲକ୍ଷ ଟଙ୍କାର ପୁରସ୍କାର ରହିଛି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଦୀର୍ଘ ଦିନ ଧରି ନକ୍ସଲ କାର୍ଯ୍ୟକଳାପରେ ଜଡିତ ଥିଲେ।
ଆତ୍ମସମର୍ପଣ ପରେ ତୁରନ୍ତ ସମସ୍ତ ୧୧ ଜଣ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଛତିଶଗଡ଼ ସରକାରଙ୍କ ନକ୍ସଲ ବିରୋଧୀ ନୀତି ଅନୁଯାୟୀ ଉପଲବ୍ଧ ସମସ୍ତ ସୁବିଧା ଏବଂ ପୁନର୍ବାସ ଲାଭର ମଧ୍ୟ ନିଶ୍ଚିତ କରାଯାଇଥିଲା। ଏଥିସହ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ଦକ୍ଷତା ବିକାଶ ତାଲିମ ମଧ୍ୟ ଦିଆଯାଉଛି।
୨୦୨୫ ମସିହାରେ ଏହି ଜିଲ୍ଲାରେ ଏଯାଏଁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସଂଖ୍ୟା ୨୯୮ ରେ ପହଞ୍ଚିଛି, ଯାହା ବସ୍ତରରେ ପରିବର୍ତ୍ତନର ଏକ ନୂତନ ଚିତ୍ର ଉପସ୍ଥାପନ କରୁଛି।