ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ବର୍ଷ ବର୍ଷ ଧରି ନିଜ ଦେଶରେ ଶରଣ ଦେଉଛି ପାକିସ୍ତାନ । ଅପରେସନ୍ ସିନ୍ଦୂରରେ ପାକିସ୍ତାନର ଆତଙ୍କୀ ଅଡ୍ଡାକୁ ଟାର୍ଗେଟ୍ କରିଥିଲା ଭାରତ । ଏହା ପୂର୍ବରୁ ପାକିସ୍ତାନ ସହ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ସହ ବାଣିଜ୍ୟ ବନ୍ଦ କରିଥିଲା ଭାରତ । ଦୀର୍ଘ ଦିନ ଧରି ଆର୍ଥିକ ସଂକଟ ସହ ଯୁଝୁଥିବା ପାକିସ୍ତାନର ସ୍ଥିତି ଏହାପରେ ଆହୁରି ବିଗିଡିଛି । ସେପଟେ ୧କୋଟିରୁ ଅଧିକ ପାକିସ୍ତାନୀ ନାଗରିକ ଭୋକରେ ଡହଳବିକଳ ହେଉଥିବା ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ବା ଫାଓ ରିପୋର୍ଟରେ ସୂଚନା ଦେଇଛି । ପାକିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଥିବା ବେଳେ ଏହା ନସୁଧୁରିଲେ ଆଗକୁ ଗାଜା ଓ ସୁଦାନ ଭଳି ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି ।
ପାକିସ୍ତାନରେ ମରୁଡି ଭଳି ସ୍ଥିତି
ପାକିସ୍ତାନ ଗଣମାଧ୍ୟମ ଅନୁସାରେ ଦେଶ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଚିନ୍ତାଜନକ ସ୍ଥିତିର ସାମନା କରୁଛି । ୨୦୨୪ରେ ଖାଦ୍ୟ ମୁଦ୍ରାସ୍ଫୀତି ଖସି ୦.୩ ପ୍ରତିଶତରେ ପହଞ୍ଚିଥିଲା । ଗରିବୀ ଓ ବେକାରୀ ଯୋଗୁଁ ଲୋକେ ଖାଦ୍ୟ ସଂକଟର ସାମନା କରୁଛନ୍ତି । ୨୦୨୨ର ବନ୍ୟା ପାକିସ୍ତାନ ଅର୍ଥନୀତିରେ ବ୍ୟାପକ କ୍ଷତି କରିଥିଲା । ୨୦୨୩ ଓ ୨୦୨୪ରେ ଜଳବାୟୁରେ ପରିବର୍ତ୍ତନ ସମସ୍ୟାକୁ ଆହୁରି ବଢାଇ ଦେଇଥିଲା । ବିଶେଷ କରି ବଲୁଚିସ୍ତାନ, ସିନ୍ଧ ଓ ଖୈବର ପଖତୁନଖ୍ବାର ଗ୍ରାମାଞ୍ଚଳରେ ଖାଦ୍ୟ ସଂକଟ ଅଧିକ ଉତ୍କଟ ରହିଛି । ଏସବୁ ଅଞ୍ଚଳରେ ଜଳସ୍ତର ଲଗାତର କମୁଥିବା ବେଳେ କୃଷି କ୍ଷେତ୍ରରେ କ୍ଷତି ସହୁଛନ୍ତି ଚାଷୀ । ଫଳରେ ଋଣ ଭାରରେ ହନ୍ତସନ୍ତ ହେଉଛି ।
ଅପପୃଷ୍ଟି ବଢାଇଛି ଚିନ୍ତା
ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ବା ଫାଓର ରିପୋର୍ଟ ଅନୁସାରେ ୧କୋଟିରୁ ଅଧିକ ପାକିସ୍ତାନୀ ଖାଦ୍ୟ ସଂକଟର ସାମନା କରୁଛନ୍ତି । ମରୁଡି ଠାରୁ ମାତ୍ର ଗୋଟେ ପାଦ ଦୂରରେ ରହିଛନ୍ତି ଦେଶର ଅନେକ ଲୋକ । ଛୋଟ ପିଲା କୁପୋଷଣର ଶିକାର ହେଉଛନ୍ତି । ୨୦୨୩ ମାର୍ଚ୍ଚରୁ ୨୦୨୪ ଜାନୁଆରୀ ମଧ୍ୟରେ ୬ରୁ ୫୯ମାସର ୨୧ଲକ୍ଷ ପିଲା ଅପପୃଷ୍ଟିର ଶିକାର ହୋଇଛନ୍ତି । ସେମାନଙ୍କ ଖାଦ୍ୟରେ ଉଭୟ ଗୁଣବତ୍ତା ଓ ପରିମାଣର ଅଭାବ ସାମନାକୁ ଆସିଛି । ସିନ୍ଧ ଓ ଖୈବର ପଖତୁନଖ୍ବାରେ ଅପପୃଷ୍ଟି ଚିନ୍ତାଜନକ ସ୍ଥିତିରେ ରହିଛି । ଅଳ୍ପ ଓଜନର ପିଲା ଜନ୍ମ ନେବା ସହ ସେମାନଙ୍କଠାରେ ଡାଇରିଆ ଓ ଶ୍ବାସଜନିତ ସଂକ୍ରମଣ ଦେଖିବାକୁ ମିଳୁଛି । ପାକିସ୍ତାନ ଆଇପିସି ଫେଜ୍-୩ରେ ରହିଥିବା ବେଳେ ଖାଦ୍ୟ ସଂକଟ ଦୂର କରିବା ସହ ଅପପୃଷ୍ଟିର ମୁକାବିଲା କରିବାକୁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ।
ଆତଙ୍କୀଙ୍କୁ ଶରଣ…ଦେଶରେ ଖାଦ୍ୟ ସଂକଟ
ପାକିସ୍ତାନର ଅର୍ଥନୀତି ଭୁଶୁଡି ଯାଇଥିବା ବେଳେ ଖାଦ୍ୟ ସଂକଟ ସହ ଯୁଝୁଛନ୍ତି ସେଠାକାର ଲୋକେ । ଖରାପ ଭିତ୍ତିଭୂମି ଯୋଗୁଁ ସ୍ବାସ୍ଥ୍ୟସେବା ମଧ୍ୟ ଠିକ୍ ଭାବେ ପହଞ୍ଚିପାରୁନି । ମାନବିକତା ଆଧାରରେ ବିଶ୍ବର ବିଭିନ୍ନ ସଂସ୍ଥାରୁ ମିଳୁଥିବା ସହାୟତା ମଧ୍ୟ କମିଛି । ଫଳରେ ଖାଦ୍ୟ ସହାୟତା କାର୍ଯ୍ୟକ୍ରମ କମିଛି । ଏଭଳି ସ୍ଥିତିରୁ ବାହାରିବାକୁ ହେଲେ ପାକିସ୍ତାନକୁ ତୁରନ୍ତ ନୀତିରେ ପରିବର୍ତ୍ତନ କରିବା ଆବଶ୍ୟକ । ଉଭୟ କେନ୍ଦ୍ର ଓ ବିଭିନ୍ନ ପ୍ରାନ୍ତରେ ସାମାଜିକ ସୁରକ୍ଷା ନେଟଓ୍ବର୍କକୁ ମଜବୁତ କରିବା ଜରୁରୀ । ମାଆ ଓ ଛୋଟ ପିଲାଙ୍କୁ ଯେପରି ଉପଯୁକ୍ତ ପୋଷଣ ମିଳିପାରିବ ସେନେଇ ସହାୟତା ଦେବା ସହ କୃଷିରେ ଅଧିକ ନିବେଶ କରିବା ଜରୁରୀ । ପାକିସ୍ତାନ ସରକାର ନିଜ ନାଗରିକଙ୍କଠାରୁ ଅଧିକ ଖର୍ଚ୍ଚ ଆତଙ୍କବାଦୀଙ୍କ ଉପରେ କରୁଥିବା ଅଭିଯୋଗ ହେଉଛି । ନିକଟରେ ପାକିସ୍ତାନର ଶହବାଜ ସରିଫ ସରକାର ଆତଙ୍କବାଦୀ ମସୁଦ ଅଜହରକୁ ୧୪କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଥିରୁ ପାକିସ୍ତାନର ଆତଙ୍କୀ ପ୍ରେମ ସ୍ପଷ୍ଟ ହେଉଛି । ଯେ ପର୍ଯ୍ୟନ୍ତ ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ଶରଣ ଦେଉଥିବେ, ସେପର୍ଯ୍ୟନ୍ତ ସେଠାକାର ଲୋକେ ଦାରିଦ୍ର୍ୟ, ଭୋକ ଓ ଅପପୃଷ୍ଟି ସହ ଯୁଝୁଥିବେ । ପାକ୍ ସରକାର ଯଥାଶୀଘ୍ର ପଦକ୍ଷେପ ନନେଲେ ଚଳିତ ବର୍ଷ ପାକିସ୍ତାନରେ ଖାଦ୍ୟ ସଂକଟ ଆହୁରି ଖରାପ ସ୍ଥିତିରେ ପହଞ୍ଚିବ ବୋଲି ଫାଓ ପକ୍ଷରୁ ଚେତାବନୀ ଦିଆଯାଇଛି ।
Comments are closed.