Latest Odisha News

ନାରୀ ଶକ୍ତି: ମୋଦି ସରକାରରେ ୧୧ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିଛି । ଗତକାଲି ଶପଥ ନେଇଥିବା ୪୩ ମନ୍ତ୍ରୀଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା । ସେମାନଙ୍କ ଭିତରେ କେବଳ ଅନୁପ୍ରିୟା ପଟେଲ୍ ଦ୍ୱିତୀୟ ଥର ମନ୍ତ୍ରୀ ହୋଇଛନ୍ତି । ଅନ୍ୟ ୬ ଜଣ ନୂଆ ଚେହେରା । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୮ ଜଣିଆ କ୍ୟାବିନେଟରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।

ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ନୂଆ ମହିଳା ମନ୍ତ୍ରୀମାନେ ହେଲେ ମୀନାକ୍ଷୀ ଲେଖି, ଶୋଭା କାରନ୍ଦଲାଜେ, ଦର୍ଶନା ଜାର୍ଦ୍ଦୋଶ, ଅନ୍ନପୂର୍ଣ୍ଣା ଦେବୀ, ପ୍ରତିଭା ଭୌମିକ, ଭାରତୀ ପାଓ୍ୱାର ଓ ଅପନା ଦଳର ଅନୁପ୍ରିୟା ପଟେଲ୍ । ସମସ୍ତେ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଶପଥ ଗ୍ରହଣ ସମାରୋହ ବେଳେ ନୂଆ ମହିଳା ମନ୍ତ୍ରୀଙ୍କ ସହ ଏକ ଫଟୋ ସେୟାର କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ପୂର୍ବରୁ ନିର୍ମଳା ସୀତାରମଣ (ଅର୍ଥମନ୍ତ୍ରୀ), ସ୍ମୃତି ଇରାନୀ (ମହିଳା ଓ ଶିଶୁ ବିକାଶ), ସାଧ୍ୱୀ ନିରଞ୍ଜନ ଜ୍ୟୋତି (ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ), ରେଣୁକା ସିଂହ (ଆଦିବାସୀ ବ୍ୟାପାର) କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସମ୍ପ୍ରସାରଣ ପୂର୍ବରୁ ଜଣେ ମହିଳା ମନ୍ତ୍ରୀ ବାଦ ପଡ଼ିଥିଲେ । ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ଇସ୍ତଫା ଦେଇଥିଲେ ।

Comments are closed.