Latest Odisha News

BREAKING NEWS

ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ ସମଗ୍ର ଜିଲ୍ଲାରେ ବନ୍ଦ ଡ଼ାକରା

ଭଦ୍ରକ: ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ନେଇ ଆଜି ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ତଥା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଫଳରେ ଭଦ୍ରକ ସହର ସମେତ ଜିଲ୍ଲାର ସମସ୍ତ ବ୍ଲକରେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେଉଛି ।

ଏହି ବନ୍ଦ ଡ଼ାକରା ଫଳରେ ସମଗ୍ର ଜିଲ୍ଲାରେ ସ୍କୁଲ, କଲେଜ ସହିତ ବିଭିନ୍ନ ସରକାରୀ/ବେସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ସକାଳା ୬ଟାରୁ ଆନ୍ଦୋଳନକାରୀମାନେ ପିକେଟିଂ କରି ବିଭିନ୍ନ ଦୋକାନ ବଜାର ବନ୍ଦ କରିବା ସହିତ ଜିଲ୍ଲାର ମୁଖ୍ୟ ରାସ୍ତା ଗୁଡ଼ିକରେ ରାସ୍ତା ଅବରୋଧ କରି ଯାନବାହନ ଚଳାଚଳ ମଧ୍ୟ ବନ୍ଦ କରିଥିବାର ସୂଚନା ମିଳିଛି ।

ଭଦ୍ରକ ରେଳଷ୍ଟେସନରେ ଆନ୍ଦୋଳନକାରୀମାନଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ଫଳରେ ରେଳଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଜିଲ୍ଲାର ସଦର ଭଦ୍ରକ ସମେତ ଚାନ୍ଦବାଲି, ବାସୁଦେବପୁର, ଭଣ୍ଡାରୀପୋଖରୀ, ଧାମନଗର, ତିହିଡ଼ି ତଥା ବନ୍ତ ଅଞ୍ଚଳରେ ମଧ୍ୟ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଉପାୟରେ ପାଳିତ ହେଉଛି ।

ସୋମବାର ଦିନ ସକାଳେ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ହେଉଥିବା ବନ୍ଦ ପାଳନ ଭଦ୍ରକ ମେଡ଼ିକାଲ କଲେଜ ପ୍ରତିଷ୍ଠା ସମିତି, ଭଦ୍ରକ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତିର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି ।

ସମଗ୍ର ଜିଲ୍ଲାରେ ଗାଡ଼ି-ମୋଟର ସଂପୂର୍ଣ୍ଣ ଚଳାଚଳ ବନ୍ଦ ହେବା ସହିତ ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜରୁରୀ କାଳୀନ ଆମ୍ବୁଲାନ୍ସ ଏବଂ ପୋଲିସ ଗାଡ଼ିକୁ ଛାଡ଼ିଦେଲେ ପ୍ରାୟ ଅନ୍ୟସବୁ ଗାଡ଼ି ଚଳାଚଳ ବନ୍ଦ ରହିଥିବାର ଖବର ହସ୍ତଗତ ହୋଇଛି ।

Leave A Reply

Your email address will not be published.