Latest Odisha News

BREAKING NEWS

ବିନିକା: ୧୨ ଘଣ୍ଟିଆ ବନ୍ଦ ପାଳନ, ସାଧାରଣ ଜୀବନଯାତ୍ରା ବ୍ୟାହତ

ସୋନପୁର : ସୋନପୁର ଜିଲ୍ଲାର ବିନିକାରେ ସ୍ଥାନୀୟ ଜନସାଧାରଣଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ସ୍ଥାୟୀ ଡ଼ାକ୍ତର ନିଯୁକ୍ତି ଦାବୀ ନେଇ ଏହି ବନ୍ଦ ପାଳନ କରାଯାଇଛି ।

ଏହି ବନ୍ଦ ପାଳନ ଫଳରେ ସମସ୍ତ ଦୋକାନ, ବଜାର, ବାଣିଜ୍ୟ ଅନୁଷ୍ଠାନ, ସମସ୍ତ ଶିକ୍ଷାନୁଷ୍ଠାନ ସାଙ୍ଗକୁ ସମସ୍ତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ଏପରିକି ଏହି ୧୨ ଘଣ୍ଟିଆ ଆନ୍ଦୋଳନ ଯୋଗୁଁ ବିନିକା ଓ ଆଖପାଖ ଅଞ୍ଚଳର ରାଜରାସ୍ତା କଡ଼ରେ ଶହ ଶହ ଯାନ ବାହନ ଅଟକି ରହିଛି ।

ସହରର ପ୍ରମୁଖ ଜନ ଗହଳିପୂର୍ଣ୍ଣ ରାସ୍ତା ଓ ଛକ ମାନଙ୍କରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ଗାଡ଼ି ମଟର ଚଳାଚଳକୁ ବନ୍ଦ କରିଛନ୍ତି । ତେଣୁ ଏଠାରେ ଯାନବାହନ ଚଳାଚଳ ଏକଦମ୍ ଠପ୍ ହୋଇଯାଇଛି ।

“ସୋନପୁର ଜିଲ୍ଲା ତଥା ବିଶେଷକରି ବିନିକାର ପ୍ରାୟ ସମସ୍ତ ସରକାରୀ ଚିକିତ୍ସାଳୟମାନଙ୍କରେ ଆବଶ୍ୟକ ଅନୁସାରେ ଡ଼ାକ୍ତର ନିଯୁକ୍ତି ହୋଇନାହାନ୍ତି । ଯେଉଁ କିଛି ଡ଼ାକ୍ତର ନିଯୁକ୍ତ ହୋଇଛନ୍ତି ସେମାନେ ସମସ୍ତ ଡ଼ାକ୍ତରଖାନା ଲାଗି ଯଥେଷ୍ଟ ନୁହଁନ୍ତି । ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଏକରକମ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ହିଁ ବିନିକା ଅଞ୍ଚଳର ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ସ୍ଥାନୀୟ ଜନତା, ବୁଦ୍ଧିଜୀବି ତଥା ବିଭିନ୍ନ ଦଳର ବରିଷ୍ଠ ରାଜନୈତୀକ ବ୍ୟକ୍ତି ବିଶେଷଙ୍କ ବାରମ୍ବାର ଅନୁରୋଧ ସତ୍ତେ୍ୱ ପ୍ରଶାସନ ଏନେଇ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି,” ବୋଲି ଜଣେ ଆନ୍ଦୋଳନକାରୀ ‘ଓଡ଼ିଶା ସମ୍ବାଦ’ର ପ୍ରତିନିଧିଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ୧୩ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ଏହି ଦାବୀ ନେଇ ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିବା ସତ୍ତେ୍ୱ ଏଯାଏଁ ପ୍ରଶାସନର ନିଦ ଭାଙ୍ଗିନାହିଁ । ସେହିପରି ଅନୁରୁପ ଭାବେ ବିଜେପି ପକ୍ଷରୁ ମଧ୍ୟ ଅଗଷ୍ଟ ୧୧ ତାରିଖରେ ଏକ ଧର୍ମଘଟ କରାଯାଇଥିଲା କିନ୍ତୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇନାହାନ୍ତି ।

ଏହି ବନ୍ଦ ପାଳନରେ ବାର୍ ଆସୋସିଏସନର ଅନେକ ସଦସ୍ୟ ତଥା ଟ୍ରେଡର୍ସ ୟୁନିୟନ ମଧ୍ୟ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.