Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ଟି ବିରୋଧୀ ଦଳ

ନୂଆଦିଲ୍ଲୀ : ଦେଶରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ଏବେ ସମସ୍ତଙ୍କ ଟେନସନ୍ ବଢ଼ାଇ ଦେଇଛି । କିପରି ସଂକ୍ରମଣକୁ ରୋକାଯିବ, ଉପରେ ଉପରେ ଦିଆଯାଉଛି ଗୁରୁତ୍ବ । ଏଭଳିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ସମେତ ଦେଶର ୧୨ଟି ପ୍ରମୁଖ ବିରୋଧୀ ଦଳ । ଏହି ଚିଠିରେ ମାଗଣା ଟିକାକରଣ, ସେଣ୍ଟ୍ରାଲ ଭିଷ୍ଟା ପ୍ରୋଗ୍ରାମକୁ ବନ୍ଦ କରିବା ସହ ଏଥିରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ସ୍ଵାସ୍ଥ୍ୟସେବାରେ ବିନିଯୋଗ କରିବା, ବେରୋଜଗାରଙ୍କୁ ପ୍ରତି ମାସରେ ୬ ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି ବିରୋଧୀ ।

ପ୍ରଧାନମନ୍ତ୍ରୀଙ୍କ ଲେଖାଯାଇଥିବା ଚିଠିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା, ଏନସିପି ମୁଖ୍ୟ ଶରଦ ପାଓ୍ଵାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଡିଏମକେ ନେତା ଏମକେ ଷ୍ଟାଲିନ, ଜେଏମଏମ ନେତା ହେମନ୍ତ ସୋରେନ, ଜେକେପିଏ ନେତା ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ଵୀ ଯାଦବ, ସିପିଆଇ ନେତା ଡି. ରାଜା ଓ ସିପିଆଇଏମ ନେତା ସୀତାରାମ ୟେଚୁରୀ ଦସ୍ତକ୍ଷତ କରିଛନ୍ତି ।

ଏଥିସହ ବିରୋଧୀ ଦଳ ଲେଖିଥିବା ଚିଠିରେ ୯ଟି ଦାବି କରିଛନ୍ତି । ଏହି ଦାବି ଗୁଡିକ ହେଲା, ଯେଉଁଠି ବି ସମ୍ଭବ ଭ୍ୟାକ୍ସିନ କିଣନ୍ତୁ । ସେ ଘରୋଇ ବଜାର ହେଉ କି ବିଦେଶରୁ । ପୂରା ଦେଶରେ ତତ୍କାଳ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଘରୋଇ ଭ୍ୟାକ୍ସିନ ନିର୍ମାଣ ପାଇଁ ବାଧ୍ୟତାମୂଳକ ଲାଇସେନ୍ସ ବ୍ୟବସ୍ଥା କରାଯାଉ । ସେହିପରି ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କାର ବଜେଟ୍ ଜାରି କରାଯାଉ । ସେଣ୍ଟ୍ରାଲ ଭିଷ୍ଟା ପ୍ରୋଗ୍ରାମ ଉପରେ ରୋକ୍ ଲଗାଯାଉ । ପିଏମ କେୟାର ଫଣ୍ଡ ଓ ସମସ୍ତ ପ୍ରାଇଭେଟ୍ ଫଣ୍ଡରେ ଜମା ସମସ୍ତ ଅର୍ଥକୁ ବାହାର କରାଯାଉ । ଏହି ଅର୍ଥକୁ ଅକ୍ସିଜେନ୍ ଓ ଡାକ୍ତରୀ ଉପକରଣ କିଣାରେ ବ୍ୟବହାର କରାଯାଉ । ସମସ୍ତ ବେରୋଜଗାରଙ୍କୁ ମାସିକ ୬ ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି ବିରୋଧୀ । ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉ । କୃଷକ ଆଇନକୁ ପ୍ରତ୍ୟାହାର କରାଯାଉ । ଏଭଳି ୯ଟି ଦାବି କରି କରିଛନ୍ତି ବିରୋଧୀ ଦଳ ନେତା ।

Leave A Reply

Your email address will not be published.