Latest Odisha News

BREAKING NEWS

୩ ଦିନ ଚାଲିବା ପରେ ଅଧା ବାଟରେ ହିଁ ଚାଲିଗଲା ୧୨ ବର୍ଷ ଝିଅର ଜୀବନ

ରାୟପୁର: ଘରେ ପହଂଚିବା ପୂର୍ବରୁ ଉଡିଗଲା ପ୍ରାଣ ବାୟୁ । ଦୀର୍ଘ ୩ ଦିନ ଚାଲିବା ପରେ ଚାଳିଗଲା ନାବାଳିକାର ଜୀବନ । ଘରଠାରୁ କିଛି ଦୂରରେ ହିଁ ଟଳିପଡିଲେ ୧୨ ବର୍ଷର ନାବାଳିକା । ଅଧରା ରହିଗଲା ତାର ଘରେ ପହଂଚିବା ସ୍ୱପ୍ନ । କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହାରି ଭିତରେ ଏଭଳି ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ତେଲେଙ୍ଗାନାରୁ ଦୀର୍ଘ ୧୫୦ କିଲୋମିଟର ଛତିଶଗଡ ବିଜାପୁରକୁ ଚାଲିଚାଲି ଆସୁଥିବା ଜଣେ ୧୨ ବର୍ଷୀୟ ଝିଅର ବାଟରେ ହିଁ ମୃତ୍ୟୁ ହୋଇଛି । କ୍ରମାଗତ ୩ ଦିନ ଚାଲିବା ପରେ ଶେଷରେ ଘରଠାରୁ କିଛି ଦୂରରେ ହିଁ ଝିଅଟି ଆଖି ବୁଜି ଦେଇଛି । ଡିହାଇଡ୍ରେସନର ଶିକାର ହୋଇ ତାର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବିଜାପୁରର ଆଦେଡ ଗାଁର ୧୨ ବର୍ଷର ନାବାଳିକା ଜାମଲୋ ମାଡକାମୀ ୩ ମାସ ପୂର୍ବରୁ ଗାଁର ଅନ୍ୟମାନଙ୍କ ସହ ଚାକିରୀ ଖୋଜିବା ପାଇଁ ତେଲେଙ୍ଗାନା ଯାଇଥିଲେ । କରୋନା ଯୋଗୁଁ ହଠାତ୍ ଲକ୍ ଡାଉନ୍ ହୋଇଯାଇଥିଲା । ପ୍ରଥମ ୨୧ ଦିନ କଟିଯାଇଥିଲା । କିନ୍ତୁ ଯେତେବେଳେ ଲକ୍ ଡାଉନ୍ ବୃଦ୍ଧି କରାଗଲା ସେ ଚାଲି ଚାଲି ତିନି ଦିନ ପୂର୍ବେ ୧୧ ଜଣ ଶ୍ରମିକଙ୍କ ସହ ନିଜ ଗାଁକୁ ଫେରୁଥିଲେ ।

ପ୍ରାୟ ୧୫୦ କିଲୋମିଟର ଯାତ୍ରା କରିବା ପରେ ଏପ୍ରିଲ ୧୮ରେ ଶ୍ରମିକମାନେ ବିଜାପୁରର ମୋଡକପାଲରେ ପହଞ୍ଚିଥିଲେ । ତେବେ ମଧ୍ୟାହ୍ଣରେ ହଠାତ୍ ଜମଲୋ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଆଉ ଆଗକୁ ବଢ଼ି ପାରି ନଥିଲେ। ଶେଷରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଘରକୁ ନିଆଯାଇଥିଲା। କିନ୍ତୁ ଅଧା ରାସ୍ତାରେ ହିଁ ବାନ୍ତି କରିବା ସହ ଜମଲୋ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ। ରାଜ୍ୟ ସରକାର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଝିଅଟିର ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

Comments are closed.