Latest Odisha News

BREAKING NEWS

ଆଦର୍ଶ ଷ୍ଟେସନ ଯୋଜନାରେ ୧୨୫୩ ରେଳ ଷ୍ଟେସନର ଉନ୍ନତିକରଣ ହେବ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଦେଶରେ ୧୨୫୩ଟି ରେଳ ଷ୍ଟେସନ, ଆଦର୍ଶ ଷ୍ଟେସନ ଯୋଜନାରେ ଉନ୍ନତିକରଣ ହେବ । ରାଜ୍ୟସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ବିଜେପି ସାଂସଦ ନରହରି ଅମିନଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ରେଳ ମନ୍ତ୍ରାଳୟ ଏବେ ଆଦର୍ଶ ଷ୍ଟେସନ, ମଡର୍ଣ୍ଣ ଷ୍ଟେସନ ଏବଂ ମଡେଲ ଷ୍ଟେସନ ବୋଲି ତିନୋଟି ଯୋଜନା କାର୍ଯ୍ୟକାରୀ କରୁଛି ।

ସାରା ଦେଶରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ସୁଦ୍ଧା ୧୨୫୩ଟି ରେଳ ଷ୍ଟେସନକୁ ଆଦର୍ଶ ଷ୍ଟେସନ ଭାବେ ଉନ୍ନତିକରଣ କରାଯାଇ ରୂପାନ୍ତରିତ ହେବ ବୋଲି ଯୋଜନା ରଖାଯାଇଛି । ଯେଉଁଥିରୁ ୧୨୧୫ଟି ଷ୍ଟେସନର ଉନ୍ନତିକରଣ ସଂପୂର୍ଣ୍ଣ ହୋଇଥିବା ବେଳେ ବଳକା ଷ୍ଟେସନ ଗୁଡ଼ିକର କାମ ଦ୍ରୁତ ଗତିରେ ଚାଲୁଛି ।

ବିଜେପି ସାଂସଦ ନରହରି ଅମିନ ରେଳ ଷ୍ଟେସନ ଗୁଡ଼ିକର ଉନ୍ନତିକରଣ କରାଯାଉଛି କି? ବୋଲି ସଭାରେ ପ୍ରଶ୍ନ କରିଥିଲେ । ମନ୍ତ୍ରୀ ବୈଷ୍ଣବ ଏହାର ଲିଖିତ ଉତ୍ତର ରଖି ମନ୍ତ୍ରାଳୟ ଅଧୀନରେ ଚାଲୁଥିବା ତିନୋଟି ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି । ଯାତ୍ରୀଙ୍କୁ ଉନ୍ନତ ଏବଂ ସହଜ ସୁବିଧା ଯୋଗାଇ ଦେବାକୁ ମନ୍ତ୍ରାଳୟ ଷ୍ଟେସନ ଗୁଡ଼ିକର ବିଭକ୍ତିକରଣ କରି ସହର ଅନୁଯାୟୀ ଉନ୍ନତିକରଣ କରୁଛି ।

ଏହା ସହିତ ରେଳ ବିଭାଗ ଆଉ ଏକ ଯୋଜନା କାର୍ଯ୍ୟକାରୀ କରୁଛି । ତାହା ହେଉଛି- ‘ମେଜର ଅପଗ୍ରେଡେସନ ଅଫ ରେଲଓ୍ୱେ ଷ୍ଟେସନ୍ସ’ । ଏହି ଯୋଜନା ଅଧୀନରେ ୫୨ଟି ଷ୍ଟେସନ ଚିହ୍ନଟ କରାଯାଇଛି ।

ଆଦର୍ଶ ଷ୍ଟେସନ ଗୁଡ଼ିକ ପାଇଁ ବଜେଟ ପ୍ଲାନ ହେଡ-୫୩ରୁ ପାଣ୍ଠି ଖର୍ଚ୍ଚ କରାଯାଉଛି । ଗତ ଆର୍ଥିକ ବର୍ଷ ୨୦୨୧-୨୨ରେ ୨୩୪୪.୫୫ କୋଟି ଟଙ୍କା ଅନୁମାେଦିତ ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ୨୭୦୦ କୋଟି ଟଙ୍କାର ଅନୁମୋଦନ ମିଳିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.