Latest Odisha News

BREAKING NEWS

ଘରେ ପଶିଗଲା ୧୪ ଫୁଟ ଲମ୍ବା କିଙ୍ଗ୍ କୋବ୍ରା, ଧରିବାକୁ ୬ ଜଣଙ୍କୁ ଲାଗିଲା ୨ ଘଣ୍ଟା

ବିହାର: ସାପ ବିଷାକ୍ତ ହେଉ ବା ନ ହେଉ ତାର ନାଁ ଶୁଣିଲେ ଲୋକେ ଭୟ କରନ୍ତି । ଆଉ ପ୍ରତ୍ୟେକ ସାପଠାରୁ କିଙ୍ଗ୍ କୋବ୍ରା ସବୁଠୁ ବେଶୀ ବିଷାକ୍ତ । ସେଥିଲାଗି ଲୋକେ ସାପଠୁ ଦୂରେଇ ରହିଥାନ୍ତି । ହେଲେ ଏବେ ବର୍ଷା ଦିନରେ ଅନେକଙ୍କ ଘରେ ସାପ ପଶି ଛୁଆ ଦେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ ଭୟଭୀତ ହୋଇପଡ଼ୁଛନ୍ତି । ନିକଟରେ ଜଣଙ୍କ ଘରୁ ୧୪ ଫୁଟ ଲମ୍ବାର କିଙ୍ଗ୍‌କୋବ୍ରା ଉଦ୍ଧାର କରାଯାଇଛି । ଆଉ ଏହାକୁ ଉଦ୍ଧାର କରିବାକୁ ୬ ଜଣ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି ।

BjdElectrycity

ବିହାରର ଲକ୍ଷ୍ମୀପୁର ରାମପୁରୱା ଗାଁ । ଏହି ଗାଁ ଘଞ୍ଚ ଜଙ୍ଗଲରେ ଘେରି ରହିଛି । ଏପରି ପରିସ୍ଥିତିରେ ପ୍ରତିଦିନ ଏଠାରେ ବିଷାକ୍ତ ଏବଂ ବିଭିନ୍ନ ପ୍ରକାରର ପ୍ରାଣୀ ଓ କୀଟପତଙ୍ଗ ଦେଖିବାକୁ ମିଳିଥାଏ । ନିକଟରେ ଗାଁର ଭୋଲା ରାମ ନାମକ ଜଣେ ବ୍ୟକ୍ତିଙ୍କ ଘରେ କିଙ୍ଗ୍ କୋବ୍ରା ପଶିଯାଇଥିଲା । ପରିବାର ଲୋକେ ରାତିରେ କିଛି ଶବ୍ଦ ଶୁଣି ଖୋଜାଖୋଜି କରିଥିଲେ । ହେଲେ କିଛି ପାଇ ନ ଥିଲେ । ତାପର ଦିନ ସକାଳେ ଯେତେବେଳେ ରାମଙ୍କ ସ୍ତ୍ରୀ ରୋଷେଇ କରିବା ପାଇଁ କାଠ ଆଣିବାକୁ ଯାଇଥିଲେ, ସେତେବେଳେ ସେଠାରେ ସେ ଏକ କିଙ୍ଗ୍ କୋବ୍ରାକୁ ଦେଖିବାକୁ ପାଇଲେ । ପରେ ସେ ଦୌଡ଼ି ଆସି ଘରର ଅନ୍ୟ ଲୋକଙ୍କୁ ଜଣାଇଥିଲେ । ଘର ଲୋକେ ଏତେବଡ଼ ସାପକୁ ଦେଖି ଭୟଭୀତ ହୋଇପଡ଼ିଲେ ।

ଏହି ଖବର ପ୍ରଚାର ହେବା ପରେ ସାହିପଡ଼ିଶା ସାପକୁ ଦେଖିବାକୁ ଭିଡ଼ ଜମାଇଲେ । ଏନେଇ ଗାଁଲୋକେ ବନବିଭାଗକୁ ସୂଚନା ଦେଲେ । ବନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ୬ ଜଣ କର୍ମଚାରୀ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରିବା ପରେ ସାପଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ପରେ ଏହାକୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ । ଉଦ୍ଧାର ହୋଇଥିବା କିଙ୍ଗ୍ କୋବ୍ରାର ଓଜନ ୨୨ କେଜି ଥିବା ବେଳେ ଏହାର ଲମ୍ବ ୧୪ ଫୁଟ ରହିଥିଲା । ଏତେ ଲମ୍ବା ସାପକୁ ଦେଖି ବନ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବନ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଏହି ଅଞ୍ଚଳରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କିଙ୍ଗ୍‌କୋବ୍ରା ଉଦ୍ଧାର କରାଯାଇଛି । ବର୍ଷା ଦିନରେ ନିକଟରେ ଥିବା ଗାନ୍ଧକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଜଙ୍ଗଲରେ ମଧ୍ୟ ପାଣି ଆସିଥାଏ । ଏଭଳି ପରିସ୍ଥିତିରେ ବନ୍ୟଜନ୍ତୁ ସମେତ ସରୀସୃପ ଏବଂ ବିଭିନ୍ନ ପ୍ରକାରର କୀଟପତଙ୍ଗ ଜଙ୍ଗଲରୁ ବାହାରି ଲୋକଙ୍କ ଘରେ ଆଶ୍ରୟ ନେଇଥାନ୍ତି ।

Leave A Reply

Your email address will not be published.