ସମ୍ବଲପୁର: ରାଜ୍ୟରେ ୨୪ ଘଣ୍ଟାରେ ଗଲାଣି ୧୪ ଜଣଙ୍କ ଜୀବନ । ଆଜି ସମ୍ବଲପୁର ଓ କେନ୍ଦୁଝରରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୫ ଜୀବନ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ପିଠାମାରେନରେ କଣ୍ଟେନର ଟ୍ରକ୍ ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୩ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ଦିନ ପ୍ରାୟ ସାଢେ ୧୦ଟା ସମୟରେ ସମ୍ବଲପୁର ପଟୁ ଦେବଗଡ଼ ଆଡକୁ ଯାଉଥିବା ଏକ କଣ୍ଟେନର ନମ୍ବର (UP- 86T- 3725) ସହିତ ବିପରୀତ ପଟୁ ଆସୁଥିବା ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ପୋଲିସ କୁଚିଣ୍ଡା ଉପଖଣ୍ଡ ସରକାରୀ ହସ୍ପିଟାଲକୁ ନେବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।
ସୂଚନାଥାଉକି, ଦୁର୍ଘଟଣାରେ କଣ୍ଟେନର ଚକା ତଳେ ବାଇକଟି ପିଟି ହୋଇ ଫସି ଯାଇଥିଲା, ଯାହା ଫଳରେ କଣ୍ଟେନର ଟ୍ରକଟିରେ ନିଆଁ ଲାଗିଯାଇଥିଲା । ବାଇକଟି ପୂରାପୁରି ଜଳି ଯାଇଥିବା ବେଳେ ଟ୍ରକର ସମ୍ମୁଖ ଭାଗ ନିଆଁ ଲାଗି ଯାଇଥିଲା । ଖବରପାଇ ଜମନକିରା ପୋଲିସ ଏବଂ ଜମନକିରା ଅଗ୍ନିଶମ ବିଭାଗୀୟ ଅଧିକାରୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ମୃତକଙ୍କ ମଧ୍ୟରେ ଜଣେ ଜମନକିରା ଥାନା ବଡରମା ପଞ୍ଚାୟତ ଵିଶାଲପାଲି ଗ୍ରାମର ରନବ୍ରିତ ସିଂ ଓ ଅନ୍ୟ ଦୁଇ ଜଣ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ବୁଲୁ ରଣା ଏବଂ ସୁଜିତ ଲଙ୍ଗା ହୋଇଥିବା ପୋଲିସ କହିଛି ।
ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରି ‘X’ରେ ଲେଖିଛନ୍ତି, “ସମ୍ବଲପୁର ଜମନକିରା ଠାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
ସେହିପରି କେନ୍ଦୁଝର ୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। କେନ୍ଦୁଝରର ଶୁଆକାଠି ଫାଣ୍ଡି ଅନ୍ତର୍ଗତ ତେନ୍ତୁଳି ଠାରେ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି । ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁଯାୟୀ ଆଜି ଅପରାହ୍ନରେ ଟ୍ରକକୁ ପଛରେ ପିଟିଲା ବାଇକ । ଘଟଣା ସ୍ଥଳରେ ବାପ ଓ ୩ ବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଥଲା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ସ୍ତ୍ରୀକୁ କେନ୍ଦୁଝର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।