ମାଲକାନଗିରି: ଭାଙ୍ଗୁଛି ମାଓ ଗଡ । ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମହାସମୁଦ ଜିଲ୍ଲାରେ ୧୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶା ରାଜ୍ୟ କମିଟିର ସଚିବ ବିକାଶ ସମେତ ଅନ୍ୟ ୧୪ ଜଣ ନକ୍ସଲ ନିଜର ଅସ୍ତ୍ରଶସ୍ତ୍ର ସହିତ ଛତିଶଗଡ଼ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ସଂଗଠନରେ ଅନ୍ୟ ନକ୍ସଲମାନେ ମଧ୍ୟ ଖୁବ ଶୀଘ୍ର ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ସଚିବ ବିକାଶ କହିଛି । କିନ୍ତୁ ତେଲେଙ୍ଗାନା ଏରିଆ କମିଟି ସମେତ କିଛି ନକ୍ସଲ ଏବେ ବି ସଂଗଠନରେ ରହି କାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ପୁଲିସ ସମସ୍ତ ନକ୍ସଲଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ କରିବା ସହ ନକ୍ସଲ ଧରିଥିବା ବନ୍ଧୁକ ହିସାବରେ ମଧ୍ୟ ଟଙ୍କା ପ୍ରଦାନ କରିଛି ।
ଏହି ନକ୍ସଲମାନେ ୩ଟି ଏକେ-୪୭ ସହ ଏସଏଲଆର, ଇନସାସ, ୩୦୩ ବନ୍ଧୁକ ସହ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ପୋଲିସର ବାରମ୍ବାର ଚଢାଉ ଏବଂ ସରକାରଙ୍କର ମାଓ ଦମନ ଟାର୍ଗେଟ ସଫଳ ହେଉଥିବାବେଳେ ମାଓବାଦୀମାନେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।