ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଉତ୍ତ୍ୟକ୍ତ ସ୍ଥାନୀୟ ବାସିନ୍ଦାମାନେ ଭଙ୍ଗାରୁଜା କରିବା ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି ।
ଖୋର୍ଦ୍ଧା ଏସ୍ପି ଦିପ୍ତି ରଞ୍ଜନ ରାୟ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହି ମାମଲାରେ ପୋଲିସ ଏଯାବତ୍ ୧୬ ଜଣକୁ ଗିରଫ କରିବା ସହ ୧୨ଟି ଗାଡ଼ିକୁ ଜବତ କରିଛି।
ସେ ଆହୁରି ମଧ୍ୟ କହିଛନ୍ତି ବେଗୁନିଆ ଓ ବୋଲଗଡ ପୋଲିସର ୩ଟି ସ୍ୱତନ୍ତ୍ର ଟିମ୍ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଝାନଭିନ୍ ଆରମ୍ଭ କରିଛି । ଏହି ଘଟଣା ପରେ ସ୍ଥାନୀୟ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଏକ ନୋଟିସ୍ ଜାରି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ, ବେଗୁନିଆ ବ୍ଲକ ଅଫିସ ମଧ୍ୟରେ ଡ଼ିସେମ୍ବର ୩୧ ତାରିଖ ଦିନ ସ୍ଥାନୀୟ ବିଡ଼ିଓ ଏବଂ ତହସିଲଦାରଙ୍କ ଉପସ୍ଥିତିରେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୂର୍ବତନ ବେଗୁନିଆ ସରପଞ୍ଚ ନବକିଶୋର ସ୍ୱାଇଁଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ବେଗୁନିଆ ପଞ୍ଚାୟତର କୌଣସି ଗାଁ’କୁ ଗଲେ ଜୀବନରୁ ମାରିଦେବା ଧମକ ଦେଇଥିବା ଅଭିଯୋଗ କରିଥିଲେ ନବକିଶୋର ସ୍ୱାଇଁ ।
ଏନେଇ ପୂର୍ବତନ ସରପଞ୍ଚ ନବକିଶୋର ସ୍ୱାଇଁ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିଲା ।
ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ବେଗୁନିଆ ଓ ବୋଲଗଡ଼ ଅଞ୍ଚଳର ପ୍ରାୟ ୧ ହଜାରରୁ ଅଧିକ ଲୋକ ବୁଧବାର ଅପରାହ୍ନରେ ବେଗୁନିଆ ଥାନା ଘେରାଓ କରିଥିଲେ ।
ଉତ୍ୟକ୍ତ ଜନସାଧାରଣ ଥାନା ଭିତରକୁ ପଶିବାକୁ ଚେଷ୍ଟା କରିବା ମାତ୍ରେ ପୋଲିସ ପକ୍ଷରୁ ବାଧା ଦିଆଯାଇଥିଲା, ଫଳରେ ଲୋକମାନେ ଉତ୍ତେଜିତ ହୋଇ ଥାନାର ମୁଖ୍ୟ ଗେଟର ତାଲା ଭାଙ୍ଗି ଥାନା ମଧ୍ୟକୁ ପ୍ରବେଶ କରିଥିଲେ । ଥାନା ଭିତରେ ପଶି ଉତ୍ୟକ୍ତ ଲୋକେ କାଗଜପତ୍ର, ଆସବାବପତ୍ର ସହିତ କାର୍ଯ୍ୟଳୟ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ । କିଛି ଉତ୍ୟକ୍ତ ଲୋକଙ୍କ ଆକ୍ରମଣ ଯୋଗୁଁ ଥାନା ଏଏସଆଇ ମହେନ୍ଦ୍ର ସେଠୀ ଆହତ ହୋଇଛନ୍ତି ।
ପରେ ଉତ୍ୟକ୍ତ ଲୋକମାନେ ୫୭ ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ବିଧାୟକ ଗିରଫ ନହେବା ପର୍ଯ୍ୟନ୍ତ ପଥ ଅବରୋଧ ଜାରି ରହିବ ବୋଲି ଗଣାମଧ୍ୟମକୁ କହିଥିଲେ ।
Comments are closed.