Latest Odisha News

BREAKING NEWS

ଘନ କୁହୁଡି ବଳୟରେ ଉପକୂଳବର୍ତ୍ତୀ ଓଡିଶା, ବର୍ଷା ଆଶଙ୍କା

ଭୁବନେଶ୍ୱର : ଉପକୂଳବର୍ତ୍ତୀ ଓଡିଶାରେ ସକାଳ ସମୟରେ ଘନ କୁହୁଡି ଆଚ୍ଛାଦିତ ହୋଇ ରହିଥିବା ବେଳେ ଗୁରୁବାର ଦିନ ଏହି କୁହୁଡି ସ୍ତରରେ ହ୍ରାସ ଘଟିଛି । ଏହାବ୍ୟତୀତ ରାଜ୍ୟର ଦକ୍ଷିଣ ମଧ୍ୟବର୍ତ୍ତୀ ତଥା ପଶ୍ଚିମ ଜିଲ୍ଲାଗୁଡିକରେ ଆଗାମୀ ୨ଦିନ ମଧ୍ୟରେ ବର୍ଷା ସହ ବିଜୁଳି ଓ ଘଡିଘଡିର ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡଃ ଏଚଆର ବିଶ୍ୱାସ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଉତ୍ତର ଓଡିଶାର କେତେକାଂଶ ସ୍ଥାନକୁ ଛାଡିଦେଲେ ବାକି ଅନ୍ୟ ସ୍ଥାନରେ କୁହୁଡି ସ୍ତର ତଳକୁ ଖସିଛି । କୁହୁଡି ସ୍ତର ହ୍ରାସ ପରେ ଆଇଏମଡି ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ଜାନୁଆରୀ ୨୬ ଓ ୨୭ରେ ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବିଜୁଳି ଓ ଘଡିଘଡି ହେବାର ଆଶଙ୍କା ରହିଛି ।

ଆହୁରି ମଧ୍ୟ ଜାନୁଆରୀ ୨୭ ଓ ୨୮ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ରାଜ୍ୟର ଅନ୍ୟ ଭାଗରେ ଜଳବାୟୁ ଶୁଷ୍କ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.