Latest Odisha News

BREAKING NEWS

‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେଲା ୧୬୧୦ ସ୍କୁଲ

ଭୁବନେଶ୍ୱର: ମୋ ସ୍କୁଲ’ ଅଭିଯାନରେ ସାମିଲ ହେଉଛି ୧୬୧୦ ସ୍କୁଲ ।

ଶୁକ୍ରବାର ଅପରାହ୍ନରେ ‘ମୋ ସ୍କୁଲ’ ପରିଚାଳନା ସଂଗଠନର ୧୮ତମ କାର‌୍ୟ୍ୟକାରୀ କାଉନ୍‌ସିଲ୍ ବୈଠକ ଭର୍ଚୁଆଲ ମୋଡ୍‌ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ସୂଚନା ଅନୁଯାୟୀ ରାଜ୍ୟର ୨୫ଟି ଜିଲ୍ଲାର ୧୬୧୦ ସ୍କୁଲର ଉନ୍ନୟନ କାର‌୍ୟ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ୨ କୋଟି ୪୬ ଲକ୍ଷ ୯୦ ହଜାର ୨୦ ଟଙ୍କା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ୪ କୋଟି ୯୩ ଲକ୍ଷ ୮୦ ହଜାର ୪୦ ଟଙ୍କା ଅନୁମୋଦନ କରିଛନ୍ତି।

ଉଭୟ ପୁରାତନ ଛାତ୍ରଛାତ୍ରୀ ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ମିଶି ୭ କୋଟି ୪୦ ଲକ୍ଷ ୭୦ ହଜାର ୬୦ ଟଙ୍କା ବ୍ୟୟ ଅଟକଳରେ ସଂପୃକ୍ତ ବିଦ୍ୟାଳୟର କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ସୂଚନା ମିଳିଛି ।

ଗଜପତି, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବରଗଡ଼ ପ୍ରଭୃତି ଜିଲ୍ଲାର ବହୁସ୍କୁଲ ଏହି ଅଭିଯାନରେ ସାମିଲ ହୋଇ ଅନୁଦାନ ସଂଗ୍ରହ କରିବାରେ ଉଲ୍ଲେଖନୀୟ ସଫଳତା ହାସଲ
କରିଛନ୍ତି ।

ପ୍ରକାଶଥାଉକି ଗଜପତି ଜିଲ୍ଲା ସର୍ବାଧିକ ୫୬ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଏହି ବୈଠକରେ ‘ମୋ ସ୍କୁଲ’ ଅଭିଯାନ ସହିତ ଟାଟା ଟ୍ରଷ୍ଟ ସହିତ କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ମିଳିତ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବିଭିନ୍ନ ବିଦ୍ୟାଳୟରେ ପାଠାଗାର ଗଠନ ଉପରେ ଏବଂ ଶିକ୍ଷକ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରି ମାର୍ଚ୍ଚ ୨୦୨୧ ମସିହା ଭିତରେ ବିଦ୍ୟାଳୟର ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଯୋଡିବା ପାଇଁ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଏସ୍‌ସିଇଆର୍‌ଟି, ‘ମୋ ସ୍କୁଲ’ ଅଭିଯାନର ଭାରପ୍ରାପ୍ତ ଅଧିକାରୀ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.