Latest Odisha News

BREAKING NEWS

ଆହୁରୀ ୨ ଦିନ କଲବଲ କରିବ ତାତି, ୪୦ ଡିଗ୍ରୀ ଉପରେ ୧୭ ସହର: ୨୦ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବେଶ କରିବା ସତ୍ତ୍ୱେ ଜାରି ରହିଛି ଗରମ। ଆହୁରି ଦୁଇ ଦିନ କଲବଲ କରିବ ଗୁଳୁଗୁଳି । ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଏହି ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ଥିଲେ ବି ଗୁଳୁଗୁଳି ଜାରି ରହିବ । ତେବେ ଆଜି ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରିଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟରେ ୨୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ବଢିବା ସହ ସ୍ଥିତିରେ ପରିବର୍ତ୍ତନ ଆସିବ। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହୋଇପାରେ । ଆଜି ବୌଦ୍ଧରେ ତାପମାତ୍ରା ୪୨ ଡିଗ୍ରୀ ରହିଛି । ନୂଆପଡ଼ାର ତାପମାତ୍ରା ୪୧.୬ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ, ଭବାନୀପାଟଣା-୪୧, ସୁନ୍ଦରଗଡ଼-୪୧ ଡିଗ୍ରୀ, ପାରଳାଖେମୁଣ୍ଡି, ଅନୁଗୁଳ, ଢେଙ୍କାନାଳରେ ତାପମାତ୍ରା ୪୦.୭ ଡିଗ୍ରୀ ରହିଛି । ଖୋର୍ଦ୍ଧା-୪୦.୫, ଜଗତସିଂହପୁରରେ ୪୦.୫ ଡିଗ୍ରୀ ତାପମାତ୍ରା ରହିଛି ।

ଆଜି ସନ୍ଧ୍ୟା ବେଳକୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ସମାନ ସ୍ଥିତି ଦେଖାଦେଇପାରେ ।

Leave A Reply

Your email address will not be published.