Latest Odisha News

BREAKING NEWS

ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୧୭ ମାଓବାଦୀ

ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ଗାଙ୍ଗାଲୁର ଏରିଆ କମିଟି ମୁଖ୍ୟ ଦିନେଶ ମୋଡିଅମଙ୍କ ସହ ୧୭ ଜଣ ସକ୍ରିୟ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ DVCM ମେମ୍ବର, ଦୁଇ ଜଣ ACM, ଦୁଇ ଜଣ ମିଲିସିଆ ପ୍ଲାଟୁନ୍ କମାଣ୍ଡର, ଜଣେ ଜନତାନା ସରକାର ସଭାପତି ରହିଛନ୍ତି।

ଗାଙ୍ଗାଲୁର ଏରିଆ କମିଟି ଡିଭିସିଏମ୍ ଦିନେଶ ମୋଡିଅମ ଓ ତାଙ୍କ ଏସିଏମ୍ ପତ୍ନୀ ଜୋତି ତାଟିଙ୍କ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦିନେଶ ମୋଡିଅମ ଗତ ୨୦ ବର୍ଷ ଧରି ମାଓ ସଙ୍ଗଠନରେ ରହିଥିବା ବେଳେ ଗତ ପାଞ୍ଚ ବର୍ଷ ଧରି ଗାଙ୍ଗାଲୁର ଏରିଆ କମିଟିର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ଦିନେଶର ମିଲିଟାରୀ ପ୍ଲାଟୁନ ଲାଗି ଗାଙ୍ଗାଲୁର ଜଙ୍ଗଲ ଭିତରେ ଦୀର୍ଘ ବର୍ଷ ଧରି ପ୍ରବେଶ କରିପାରୁନଥିଲେ ସୁରକ୍ଷାକର୍ମୀ।

ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିର ବ୍ୟାପକ ପ୍ରଚାର ମାଓ ସଂଗଠନ ପ୍ରତି ନିରାଶା ସୃଷ୍ଟି କରିଛି ବୋଲି ମାଓନେତା ଦିନେଶ କହିଛନ୍ତି। ତେବେ ଆତ୍ମସମର୍ପଣ ପରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ବିଜାପୁର ଏସପି ଜିତେନ୍ଦ୍ର ଯାଦବ କହିଛନ୍ତି।

 

Comments are closed.