Latest Odisha News

BREAKING NEWS

୧୮ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା, ପ୍ରମାଣପତ୍ର ଦେଲେ ଗୁଜୁରାଟ ଗୃହମନ୍ତ୍ରୀ

ଅହମ୍ମଦାବାଦ: ପଡିଲା କି ସିଏଏ ପ୍ରଭାବ! ୧୮ଜଣ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତୀୟ ନାଗରିକତା । ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଗତକାଲି ଅହମ୍ମଦାବାଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅହମ୍ମଦାବାଦରେ ଅବସ୍ଥାପିତ ୧୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି। ଏହା ସହିତ ଗୁଜୁରାଟରେ ରହୁଥିବା ୧,୧୬୭ ଶରଣାର୍ଥୀ ହିନ୍ଦୁଙ୍କୁ ଅହମ୍ମଦାବାଦ ଜିଲ୍ଲା କଲେକ୍ଟରେଟ୍ ଦ୍ୱାରା ନାଗରିକତ୍ୱ ପ୍ରଦାନ କରାଯାଇଛି ।

ଜିଲ୍ଲାପାଳ କାର୍ଯ୍ୟାଳୟରେ ଆୟୋଜିତ ଏକ ଶିବିରରେ ସାଙ୍ଗଭୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରି ଏକ ନୂତନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ସାଙ୍ଗଭୀ କହିଥିଲେ ଯେ, ‘ଆଜି ଆପଣଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିଠାରୁ ଆପଣମାନେ ଏହି ମହାନ ଦେଶ ଭାରତର ନାଗରିକ । ଜଣେ ଭାରତୀୟ ନାଗରିକ ଭାବରେ, ଆପଣ ସରକାରୀ ଯୋଜନାର ସମସ୍ତ ଅଧିକାର ଏବଂ ସୁବିଧା ପାଇବେ । ଆଶା କରୁଛୁ ଯେ, ଆପଣ ସମସ୍ତେ ଦେଶର ବିକାଶ ଯାତ୍ରାରେ ଭାଗ ନେବାକୁ ସଂକଳ୍ପବଦ୍ଧ ହେବେ ।

ସାଙ୍ଗଭୀ କହିଛନ୍ତି ଯେ ଭାରତୀୟ ନାଗରିକତା ହାସଲ କରିଥିବା ସମସ୍ତ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶର ଦଳିତ ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବା ପାଇଁ ବିଶେଷ ଉଦ୍ୟମ କରିଛନ୍ତି।

କହିରଖୁଛୁ ଯେ, ଏହି ପାକିସ୍ତାନୀ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବା ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ନାଗରିକତା ସଂଶୋଧନ ଅଧିନିୟମ (CAA) ସହିତ କୈଣସି ସମ୍ପର୍କ ନାହିଁ । ସରକାରୀ ପ୍ରକାଶନ ଅନୁଯାୟୀ, ୨୦୧୬ ଏବଂ ୨୦୧୮ ବର୍ଷର ଗେଜେଟ୍ ବିଜ୍ଞପ୍ତି ଆଧାରରେ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଛି। ଏହି ଉଭୟ ବିଜ୍ଞପ୍ତି ରାଜ୍ୟରେ ଅହମ୍ମଦାବାଦ, ଗାନ୍ଧିନଗର ଏବଂ କୁଚର ଜିଲ୍ଲା କଲେକ୍ଟରଙ୍କୁ ପାକିସ୍ଥାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାକୁ କ୍ଷମତା ପ୍ରଦାନ କରିଥାଏ।

Comments are closed.