Latest Odisha News

ପୁସ୍ତକ ପରିଚୟ : ଶ୍ଵେତପତ୍ର

  • ଅପହଞ୍ଚ ଇଲାକାର ଅବଦମିତ ସ୍ୱର ‘ଶ୍ୱେତପତ୍ର’

ହିମାଦ୍ରୀ ତନୟା ମିଶ୍ରଙ୍କ ସମୀକ୍ଷା 

କବିତା ସଙ୍କଳନ : ଶ୍ଵେତପତ୍ର
କବି : ବଳରାମ ପୂଜାରୀ
ପ୍ରକାଶକ : ପେନ୍ ଇନ୍ ବୁକ୍ସ ପବ୍ଲିକେଶନ, ଭୁବନେଶ୍ୱର
ମୂଲ୍ୟ – ୧୯୯ /-

“ଏଠି ଜୀବନ ସବୁ ଦୌଡୁଥିଲେ
ମୁଠା ମୁଠା ପରମାୟୁ ସନ୍ଧାନରେ,
ଅଧାଜିଆଁ ଦରମରା ଅୟୁତ ଆୟୁଷ୍ମାନମାନଙ୍କ
ଭିଡ ଭିତରେ, ଖୋଜୁଥିଲେ
ନିଜ ନିଜ ସୁରକ୍ଷିତ ସ୍ଥାନ ,
କାକୁସ୍ଥ କରୁଥିଲା ସମୟର ଡାକ
ତୋତେ ଛାଡ଼ି ଯିବାକୁ ହେବ,ଏ ପିଣ୍ଡ,
ଏ ସମଗ୍ର ସମଗ୍ରତାର ଅକଥନୀୟ ଆୟୁଷକୁ ,
ଆଜି ଏହି ମୁହୂର୍ତ୍ତରେ।”

ଏ ହେଉଛି କବି ବଳରାମ ପୂଜାରୀଙ୍କ ‘ଶ୍ୱେତପତ୍ର’ ସଙ୍କଳନ କବିତା ପୁସ୍ତକର ପ୍ରଥମ କବିତା’ ଅସରାଏ ଅପରାହ୍ନ’ ର ଛଳ ଛଳ ଆବେଗରେ ପରିପୂର୍ଣ୍ଣ ଶବ୍ଦର ସମ୍ଭାର । ଏହି ଶ୍ୱେତପତ୍ର ପୁସ୍ତକ ଟିରେ ସମୁଦାୟ ୫୦ଟି କବିତା ରହିଛି । ଆଦିଭୂମି, ମନ୍ତ୍ରମଗ୍ନା, ମାଲ୍ୟବନ୍ତ ମାଟିର କଥା , ଆଦିବାସୀ ଜନଜାତି , ବୀର ପ୍ରସବିନି ରଙ୍ଗଡିଆଁ ମାଟି ଅଗଣାରେ ଜନ୍ମ ନେଇଥିବା ସମସ୍ତ ମାଲକାନଗିରି ମାଟିର ସନ୍ତାନ , କୋରାପୁଟ ଜିଲ୍ଲାର ତୁଙ୍ଗ ଶିଖରପୁରୁଷ ମହାପୁରୁଷଙ୍କ କାହାଣୀ, କୋୟା ଜନ ଆନ୍ଦୋଳନର ବିପ୍ଳବ ଗାଥା , ଐତିହାସିକ ମାଥିଲି ଥାନା ଗୁଳିକାଣ୍ଡରେ ଜନ୍ମ ମାଟି ପାଇଁ ସହିଦ୍ ହୋଇଯାଇଥିବା ସମସ୍ତ ବୀରମାନଙ୍କର ଗାଥା ଏବଂ ମଗ୍ନ ମାଟିର ଝାଡ଼ ଜଙ୍ଗଲର ସୋନ୍ଦର୍ଯ୍ୟରେ କବିଙ୍କ ପ୍ରାଣକୁ ଭାବ ବିହ୍ଵଳିତ କରିଛି ଯାହାର ନିର୍ଯାସ କବିଙ୍କ ରଚିତ ‘ଶ୍ୱେତପତ୍ର’ କବିତା ସଙ୍କଳନ।
ଅଗନା ଅଗନି, ସବୁଜିମାର ଥାକ ଥାକିଆ ପାହାଡ଼ର ଛାତିରେ କବିଙ୍କ ମନଟି କୋରାପୁଟର ପ୍ରାକୃତିକ ସୋନ୍ଦର୍ଯ୍ୟରେ ମାଟି ମନସ୍କ ହୋଇ ଉଠିଛି। ଯେଉଁଥିରେ ଆଦିବାସୀ ଜନଜାତିମାନଙ୍କର ପରମ୍ପରା , ସଂସ୍କୃତି , ପର୍ବପର୍ବାଣୀ , ବେଶଭୂଷା , ବଣ୍ଡା, କୋୟା , ଭୁମିଆ, କନ୍ଧ, ପରଜା, ଜନଜାତିଙ୍କର ବ୍ୟଥା ଓ ବେଦନାର ଜୀବନଚର୍ଯ୍ୟା କଥା ବସ୍ତୁ ରହିଛି । କୁଆଁରୀ ଝରଣାର ସ୍ଵରରେ ସ୍ୱର ମିଳେଇଛନ୍ତି କବି । କୁଞ୍ଚୁ କୁଞ୍ଚିଆ ପାହାଡ଼ର ଢାଲୁ ଢାଲୁ ଖମାଣ ଓ ଶାଗୁଆ ଝାଡ ଜଙ୍ଗଲରେ ଶବ୍ଦ ଖଞ୍ଜିଛନ୍ତି କବି । ଷଠି ଘର କୁଡୁମୁଲୁଗୁମ୍ମା , ମାଲକାନଗିରି ଓ କୋରାପୁଟ ମାଟିର ମନସ୍ତତ୍ତ୍ୱକୁ ସାଧାରଣ ଜନ ମାନସରେ ପହଞ୍ଚେଇବାର ପ୍ରୟାସ କରିଛନ୍ତି କବି ବଳରାମ ପୂଜାରୀ । ଗଣତନ୍ତ୍ରର ଅବୁଝା ଗଣିତର ଦୂର୍ବୋଧ୍ୟ ଉପପାଦ୍ୟ , ତାର ମୌଳିକ ଅଧିକାର ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଅପହଞ୍ଚ ହାହା କାରର ଡହ ଡହ ଚିତ୍କାରକୁ ସମସ୍ତଙ୍କ ପାଖରେ ପହଞ୍ଚେଇବା ପାଇଁ ବଳରାମ ପୂଜାରୀ ଚାହିଁଛନ୍ତି । ଛୁଇଁ ହେଉଥିବା ଭୂସ୍ବର୍ଗକୁ ଚିହ୍ନାଇ ଦେବାର ପ୍ରବଣତା ଆଜି ତାଙ୍କୁ ସର୍ବବିଦିତ କରାଇଛି। ନିରୀହ ଆଦିଭୂମିର ଅମ୍ଳାନ ଗାରୀମାକୁ ହୃଦୟଙ୍ଗମ କରି ଶ୍ୱେତପତ୍ର ପରି ଏକ ସୁନ୍ଦର ସଙ୍କଳନ ଆମ୍ଭମାନଙ୍କ ପାଖରେ ପହଞ୍ଚେଇଛନ୍ତି ଯାହାର ମୁଖବନ୍ଧ ଲେଖିଛନ୍ତି ବରିଷ୍ଠ ସାହିତ୍ୟକ , ବିଶିଷ୍ଠ ଚିନ୍ତକ , ଜଣେ ଜଣାଶୁଣା ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ତଥା ମାଟି ମାକୁ ମନଭରି ଭଲ ପାଇ ଆସୁଥିବା ତଲ୍ଲିନ ବରିଷ୍ଠ ସାହିତ୍ୟିକ ତଥା ଚିନ୍ତକ କବି ହର ପ୍ରସାଦ ଦାସ । କବିଙ୍କର ଏହା ପଞ୍ଚମ ପଞ୍ଚାମୃତ ।

ଅସରାଏ ଅପରାହ୍ନ , ଭୂମି , ଆଦ୍ୟନାଦ, ପୃଷ୍ଟାଏ ଭୂପୃଷ୍ଠ” , ଜୀବନ , ମଉଳା ମୁହୂର୍ତ୍ତ , ମେଘ ମଞ୍ଜରୀ , ସ୍ତୁପ ସ୍ତବକ , ପାହାଡ଼ର ଛାତି , ସୀମାନ୍ତରୁ ସିଧା ପ୍ରସାରଣ ଆଦି କବିତା ଗୁଡ଼ିକ ସୁନ୍ଦର ଭାବା ବେଗରେ ଉପସ୍ଥାପିତ । କୁଞ୍ଚୁକୁଞ୍ଚିଆ ପାହାଡ଼ ସନ୍ଧିରୁ ଭସା ଭସା ମେଘମାନଙ୍କର ମେଳଣ ପବନର ଢେଉ ସାଥେ ତାଳ ଦେଇ ବର୍ଷା ଲେଖୁଥିଲା ପଥର ଚଟାଣ ପରେ ଓଦା ଓଦା ଅକ୍ଷରରେ ଆଦି ଭୂମି ମାଲ୍ୟବନ୍ତର ମେଘ ମଞ୍ଜରୀର ଆଗମନି ବାର୍ତ୍ତା । ସବୁଜ ପିଠିଆ ପୂର୍ବ ଘାଟ ପର୍ବତ ମାଳାରୁ ଶବ୍ଦମାନେ ଲମ୍ଫ ଦେଉଥିଲେ ସେଇ ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବାକୁ ବିଦୂଷକ କଣ୍ଠରେ କୋୟା ରାଜବାଟିର ଭବ୍ୟ ଅନୁଭବ । ଖଙ୍ଗାର ଝୋଲାରୁ ଝାଉଁଳୁ ଥିଲେ ଯେତେବେଳେ ପିତଳ ରଙ୍ଗର ସୂର୍ଯ୍ୟ ଇନ୍ଦ୍ରଧନୁ ଯୋଡୁଥିଲା ଯୁଗ ଯୁଗର ସମ୍ପର୍କ ପୃଥିବୀ ସହ ଆକାଶ । କବି ପୁଣି ବର୍ଣ୍ଣନା କରିଛନ୍ତି ଅଣ୍ଡରାହାଲ୍ ରାଜବାଟିର ପାଟ ରାଣୀ ବୁଣ୍ଡି ମହାଦେଇଙ୍କ କଥା । ମେଘ ବର୍ଣ୍ଣା , ଆଖିଏ ପାହାଡ଼ , ଆଟବିକ ସାମ୍ରାଜ୍ୟ , ନୀରବ ନୈବେଦ୍ୟ , ଭୋଦୁଓ ଭାବନା , ଶତାୟୁ ଶରତ , ଝରା ଫୁଲ , କାନ୍ଥ କହେ କାହାଣୀ , ବାୟା ଟା , ଅସ୍ତ୍ର ବିରତି , ଈଶ୍ୱର ହେବା ସହଜ ନୁହେଁ, ମେଘ ମନ୍ତ୍ରା ଓ ଫଗୁନ୍ତିକା ଆଦି କବିତା ଗୁଡିକରେ ସେହି ମାଟି ମାକୁ କବି ସମ୍ମାନ ଜଣେଇଛନ୍ତି। ଭସା ଭସା ଭୋଦୁଓ ଆକାଶର ରୁଙ୍ଗୁ ରୁଙ୍ଗା ରଙ୍ଗୀନ ରଙ୍ଗ ଉତ୍ସବ ଟାଙ୍ଗରା ଭୂମିରେ ଭୂମିଷ୍ଠ ହେଉଥିବା ଅଣ୍ଟିଏ ଅଣ୍ଟିଏ ଆୟୁଷ୍ମାନମାନଙ୍କ କାହାଣୀ , ଜୀବନ ବିନ୍ଦୁର ଅମୃତ ରୂପ ଯେଉଁଠି ମିଳେ ଜୀବନର ନବ ଉନ୍ମାଦନା , ମହାର୍ଘ୍ୟତାର ମହଣ ମହଣ ସୁଖ , ଚଷା ଚୌହଦିର ପଟ୍ଟଚିତ୍ର, ମାଲ୍ୟବନ୍ତର ଦିଅଁ ଦେବତା ଓ ଡୁମା ଡାହାଣୀମାନଙ୍କ ରୂପ ବୈଚିତ୍ର ଋତୁ ସ୍ନାତା ଫଗୁଣରେ ମାଲକାନଗିରିର ପ୍ରାକୃତିକ ସୋନ୍ଦର୍ଯ୍ୟ ଆଦିର ଅପୂର୍ବ ରୂପ ଲାବଣ୍ୟର ମଧୁରୀମାକୁ କବି ପ୍ରକାଶ କରିଛନ୍ତି । ସେହିପରି ଅମୃତ ଉତ୍ସବ , ମାଟି ମନ୍ଦିର , ଅଶ୍ରୁର ଅଭିଶାର , ପୁଣ୍ୟତୋୟା , ତମସା , ସାରାଂଶ , ଉର୍ଦ୍ଧ୍ବ ଉଡାଣ, ମେଘ ପର୍ବ , ଇଛା ମୂର୍ତ୍ତ୍ୟୁ, ମେଘ ମୟୁଖ , ଶବ୍ଦ ଉତ୍ସବ , ଶେଷ ଶୀର୍ଷକ , ମାଲକାନଗିରିରେ ଶୀତ, ଅଶିଣର ଅଗଣା ଓ ଉଦବାସ୍ତୁ ଆଦି କବିତାଗୁଡିକରେ ଜୀବନ ବେଦର ଥାକ ଥାକ ଦୁଃଖ ସ୍ୱତନ୍ତ୍ରତାର ଅମୃତ ମୋହତ୍ସବର ସଂଜ୍ଞା ଓ ସଂଘାତ , ପିତୃ ପୁରୁଷଙ୍କ ଶେଷ ସନ୍ତକ ଓ ମାଟି ଶେଯ କବିତା ଲେଖନୀର ଭଙ୍ଗା କୋଣାର୍କ ଆଞ୍ଜୁଳାଏ ଜଳରେ ଦିଶୁଥାଏ ମର୍ଯ୍ୟାଦା ପୁରୁଷଙ୍କ ଶ୍ରୀ ରାମ ଗାଥା , ସାତ ସମୁଦ୍ର ତେର ନଈର ସମଗ୍ର ଦୁଃଖକୁ ନିର୍ବିକାରରେ ସହିଯିବାର କବିପ୍ରାଣ, ସ୍ବର୍ଗ ମୁହାଁ ସୁଖ ମାନଙ୍କର ଆକର୍ଷଣ , ତୃପ୍ତ ହେଉ ସାମଗ୍ରିକ ଅଷ୍ମ ମଣ୍ଡଳ , ମହା ପ୍ରୟାଣର ଶେଷ ନିର୍ଯାଶ, ଗୋଇ ଡଙ୍ଗରର ତମାମ ମାଟି ମଗ୍ନ ମଣିଷ , ରୁନ୍ଧିଲା ଛାତିର କୋହ , ବିଚ୍ଛିନ୍ନାଞ୍ଚଳର ଦୟନୀୟ ଇତିହାସର ରୂପାନ୍ତର ଘଟିଛି ।

ସେହିପରି ଅଳସି ଫୁଲର ଅଣ୍ଟା ସୂତା , ଶାପିତ ସୀମାନ୍ତ , ସାମ୍ଭବି, ଈଶ୍ବରଙ୍କ ସନ୍ଧାନରେ , ପ୍ରଶ୍ନ କାଳ, କୋଟିଆ , ତୋପ ଭୂମି , ତରାଭୁ , ଅପହୃତ ଅତୀତ ଓ ହନ୍ତାଳଗୁଡ଼ା ଘାଟି ଆଦି କବିତା ଗୁଡିକରେ ଅବିଭକ୍ତ କୋରାପୁଟ ମାଳଭୂମିର ସୁବର୍ଣ୍ଣ ସୁନ୍ଦରୀ , ଅବଦମିତ ଦମ୍ଭକୁ ଯୋଗାଇବାର ବେଳ ସବୁ ଅବହେଳିତ ଭାଗ୍ୟମାନଙ୍କ ଭାଗ୍ୟକୁ ବଦଳାଇବାର ତିତିକ୍ଷା, ଆକାଶ ମୁହାଁ ଅବହେଳିତମାନଙ୍କୁ କବଚ କୁଣ୍ଡଳ ପିନ୍ଧାଇ ଗଭୀର ଆତ୍ମ ବିଶ୍ଵାସରେ ଆୟୁଷ୍ମାନ କର ହେ ଅନ୍ୟମନସ୍କ ଈଶ୍ୱର , ସମ୍ବିଧାନର ଧାରା ଉପଧାରା ଉପରେ ଅଟକିଛି ପ୍ରଗତିର ନନ୍ଦୀଘୋଷ ସୁପ୍ତ ସନ୍ତାନକୁ ଜଗାଇବାର ଆସିଅଛି ବେଳ , ଡୁମା ଡାହାଣୀ ଦିଅଁ ଦେବତାଙ୍କ ତପ ତପସ୍ୟାରେ ତପୋଭୂମି ଖୋଜୁଛି ନିଜର ପ୍ରକୃତ ପରିଚୟ, ମାଟିର ଅନ୍ତନାଡ଼ି ସହ ମଣିଷର ନିବିଡ଼ ସମ୍ପର୍କ , ଶ୍ରଦ୍ଧା ଓ ସ୍ବାଭିମାନର ପ୍ରତୀକ ବେଦଧ୍ଵନୀରେ ପୁରି ଉଠୁ ଆମ ଗୌରବ ମୟ କୁଡୁମୁଲୁଗୁମ୍ମାର ପ୍ରତି ଅଞ୍ଚଳ ଓ ରଙ୍ଗଡ଼ିଆଁ ଅବହେଳିତ ମାଟିରେ ପାଦ ଥାପିବା ପରେ ବିକାଶର ବିଶେଷଜ୍ଞ ନୂଆ ପରି ଦିଶୁଥିଲା ହନ୍ତାଳ ଗୁଡା ଘାଟି ଓ ତା ପାର୍ଶ୍ଵବର୍ତ୍ତୀ ବଣ ପାହାଡ଼ର ଅପୂର୍ବ ସ୍ମୃତିଚିତ୍ର ଆଙ୍କିଛନ୍ତି କବି ବଳରାମ ପୂଜାରୀ ।

ହନ୍ତାଳଗୁଡା ଘାଟିରେ ବିକାଶଶୀଳ ଓ ପ୍ରଗତିର କଥାକୁ କବି ଦେଇଛନ୍ତି ନୂତନତ୍ଵ ରୂପ । ବିକାଶ ପାଇଁ ଚିତ୍କାର କରି କରି ଥକି ପଡ଼ିଥିବା ମଣିଷ ମାନଙ୍କ କଥା ଏବେ ଚିନ୍ତାର ପରିସରକୁ ଆସିଛି । ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳରେ ବିକାଶଶୀଳ ଭୂମିକାମାନେ ପ୍ରବେଶ କରି ବିଚ୍ଛିନ୍ନାଞ୍ଚଳକୁ ରୂପ ଦେଇଛନ୍ତି ସ୍ୱାଭିମାନ ଅଞ୍ଚଳରେ । ଶାନ୍ତିରେ ନିଃଶ୍ୱାସ ମାରିଛି ବଣ ଜଙ୍ଗଲକୁ ଜାବୁଡ଼ି ଧରିଥିବା ଭୂମିପୁତ୍ର। ଢ଼ାଲୁ ଢାଲୁ ଜଙ୍ଗଲ ପାହାଡ ମୁକୁଳିବାକୁ ଯାଉଛନ୍ତି ଅନେକ ଅଭାଗା ଅଭିଶାପ , ଗଜୁରି ଉଠିଛି ଖୁସିର ଭୂସ୍ବର୍ଗ । ସ୍ୱାଭିମାନ ଅଞ୍ଚଳକୁ ଛୁଇଁବ କଳା ମଚ ମଚ ବିକାଶର ପିଚୁ ଗାଁ ମୁହା ହେବେ ଅନେକ ସୌଭାଗ୍ୟ । ପାଣି ,ପାଠ ,ଆଲୋକ , ଖାଦ୍ୟ , ବାସଗୃହ , ବସ୍ତ୍ର ଏପରି ମୌଳିକ ଅଧିକାର ପାଇବ ଆଦିଭୂମିର ଅବହେଳିତ ସନ୍ତାନ । ଆଗନ୍ତୁକ ମାନଙ୍କର ଆଗମନରେ ହେନ୍ତାଳ ଛାଡ଼ି ସ୍ବାଗତ କରୁଥିବା ହନ୍ତାଳ ଗୁଡ଼ାର ଅଙ୍କା ବଙ୍କା ଘାଟି , ଉଚ୍ଚା ଉଚ୍ଚା ମେଘ ଛୁଆଁ ପାହାଡ଼ , ଯୋଡା ଆମ୍ବ ଯୋଡ଼ୁଥିଲା ସାମଗ୍ରିକ ସ୍ୱାଭିମାନ , ପ୍ରକୃତିକୁ ମନ ଭରି ଉପଭୋଗ କରୁଥିଲେ ବିକାଶ ଶିଳ ମୁହୂର୍ତ୍ତମାନେ , ଗଜରୁଥିଲେ ଜୀବନର ଜୀବନ୍ୟାସ ଅଭିମନ୍ତ୍ରିତ ବିଶ୍ୱାସ ଯେତେବେଳେ ପାଦ ଥାପୁଥିଲେ ରଙ୍ଗଡିଆଁ ଅବହେଳିତ ମାଟିରେ ବିକାଶମାନଙ୍କ ବିଶେଷଜ୍ଞ । ଅତୀତ ହିଁ ବର୍ତ୍ତମାନକୁ ଧରିରଖେ ଓ ବର୍ତ୍ତମାନ ହିଁ ଭବିଷ୍ୟତକୁ ସଯାଡୁଥାଏ। ଅବିଭକ୍ତ କୋରାପୁଟ ଜିଲ୍ଲାର ଏ ଅନବଦ୍ୟ ସୃଷ୍ଟି , ମାଲକାନଗିରି ମାଟିର ଚମତ୍କାର ଚିତ୍ରକଳ୍ପର ସୁରମ୍ୟ ସୃଜନୀକା, ଶ୍ୱେତପତ୍ର ସମଗ୍ର ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିବ, ଏଥିରେ ସନ୍ଦେହ ନାହିଁ।

Comments are closed.