ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସ୍ୱରୂପ ବା ପୂର୍ବ ସ୍ୱରୂପ ଶ୍ରୀ ନୀଳମାଧବଙ୍କ ବିଷୟରେ କିଛି ତଥ୍ୟ ଉପସ୍ଥାପନା କରିବା ପରେ, ଆଜି ଜାଣିବା ତାଙ୍କ ମନ୍ଦିରରେ ପ୍ରଚଳିତ ରୀତିନୀତି ଓ ପୂଜା ପାର୍ବଣ ବିଷୟରେ । ଶ୍ରୀମନ୍ଦିର ଭିତର ବେଢାରେ ଥିବା ଏହି ମନ୍ଦିରଟି ଦଇତାପତି ନିଯୋଗର ତତ୍ତ୍ଵlବଧାନରେ ରହିଅଛି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଦଇତାପତି ନିଯୋଗର ଜଣେ ଦଇତାପତି ବାର୍ଷିକ ନୀଳାମି ସୂତ୍ରରେ ଏହାର ସେବା ପୂଜା କରିବାର ଅଧିକାର ପାଇଥାନ୍ତି। ଶ୍ରୀ ନୀଳମାଧବଙ୍କ ଦୈନିକ ନୀତି ସକାଶେ କୋଠରୁ ବଲ୍ଳଭ ୧ ଓଳି, କୋରା ୧ ଟି ଓ ସାନ କାକରା ୨ ଟି ମିଳିଥାଏ। କିନ୍ତୁ ଏଇ କେତେ ବର୍ଷ ହେବ ତାହା ମିଳୁନି ବୋଲି ସେବା ପୂଜା ଦାୟିତ୍ୱରେ ଥିବା ଦଇତାପତି କୁହନ୍ତି। ଶ୍ରୀ ନୀଳମାଧବଙ୍କ ଦୈନଦିନ ନୀତି ମଧ୍ୟରେ ପ୍ରତ୍ୟୁଷରେ ମଙ୍ଗଳ ଆଳତି, ସ୍ନାନ, ବେଶ, ଖଇ କୋରା କଦଳୀ ଭୋଗ ଏବଂ ରାତ୍ରରେ ଛେନା ସର, ରାବିଡି ସହ ଖଇ କଦଳୀ ଭୋଗ ହୁଏ। ଏହାପରେ ବଡ଼ସିଂହାର ବେଶ ହୋଇ ନଖ ତୁଳସୀ, ପୁଷ୍ପ ହାର ଲାଗି ହୁଅନ୍ତି। ଶ୍ରୀନୀଳମାଧବ ଏପରି ଭାବରେ ବିରାଜିତ ଯେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଚଳନ୍ତି ଠାକୁର ବିଜେ ସବୁ ଏହି ମନ୍ଦିର ସାମ୍ନାରେ ହୋଇ ଥାଏ। କୁହାଯାଏ ସୂର୍ଯ୍ୟ ଉଦୟର ପ୍ରଥମ କିରଣ ଏହି ବିଗ୍ରହଙ୍କ ପାଦସ୍ପର୍ଶ କରିଥାଏ। ଉକ୍ତ ମନ୍ଦିର ରେ ମଧ୍ୟ ଶ୍ରୀ ଜଗନ୍ନାଥ, ପତିତପାବନ ରୂପରେ ବିରାଜିତ ଓ କାର୍ତ୍ତିକ ମାସରେ ବିଭିନ୍ନ ବେଶ ହୋଇଥାନ୍ତି। ଏକ ସୁନ୍ଦର ପରମ୍ପରା ଏହି ମନ୍ଦିରରେ ଦେଖିବାକୁ ମିଳେ, ବିଶ୍ୱକର୍ମା ପୂଜାଦିନ ସହରର, ଶିଳ୍ପୀ, ମିସ୍ତ୍ରୀ ଓ କାରିଗରମାନେ ଏହାଙ୍କ ପାଖରେ ନିଜ ସାଜ ସରଞ୍ଜାମ ପୂଜା କରିଥାନ୍ତି। ସେହିଦିନ ନୀଳମାଧବ ପାଲଟନ୍ତି ବିଶ୍ୱକର୍ମା। ଏହି ମନ୍ଦିରଟି ଅତ୍ୟନ୍ତ ପୁରାତନ ହୋଇଥିବାରୁ ଏହାର ରକ୍ଷଣା ବେକ୍ଷଣ କାର୍ଯ୍ୟ ଓ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଉପରେ ନ୍ୟସ୍ତ ଅଟେ। କିନ୍ତୁ ଉପଯୁକ୍ତ ମରାମତି ଅଭାବରୁ ବର୍ଷା ଦିନେ ଜଗମୋହନ ଓ ଗର୍ଭଗୃହରୁ ପାଣି ଝରୁଛି। ଶ୍ରୀମନ୍ଦିର ପ୍ରାଚୀନ ଇତିହାସ ସହ ଏହି ମନ୍ଦିର ଜଡିତ ଥିବାରୁ ଏହାର ସଂରକ୍ଷଣ ନିତ୍ୟାନ୍ତ ଜରୁରୀ ବୋଲି ଦାୟିତ୍ୱରେ ଥିବା ଦଇତାପତି ସେବକ କୁହନ୍ତି। ସମଗ୍ର ଦଇତାପତି ସେବକ ଏହି ମନ୍ଦିରରେ ପ୍ରତିଷ୍ଠା ପାଇଥିବା ଦାରୁ ପତିତପାବନଙ୍କୁ ମାଧବ ବୋଲି ବିବେଚନା କରିଥାନ୍ତି। ପ୍ରତି ନବକଳେବରରେ ଏହାଙ୍କୁ ମଧ୍ୟ ନୂଆ ଭାବେ ଗଢ଼ା ଯାଏ। ଆସନ୍ତୁ ଏବେ କରିବା ଆରାଧନା ।
“ସହସ୍ର ଜନ୍ମସ୍ଵଭ୍ୟାସାଦ ଭକ୍ତିଭର୍ବତୀ ଭୂପତେ, ନୀଳାଚଳ ଗୁହାବାସେ ମାଧବେ ଜଗତାଂ ଧରେ ।”
ଅର୍ଥାତ ହେ ଭୂପ! ସହସ୍ର ଜନ୍ମର ଅଭ୍ୟାସ ଦ୍ୱାରା ନୀଳାଚଳ ଗୁହାବାସୀ ଜଗତପତି ମାଧବଙ୍କ ପ୍ରତି ଭକ୍ତି ଜାତ ହୁଏ। ତଥାପି ଏ ଅଧମ ତୁମକୁ ଭକ୍ତି ନିବେଦନ ଜଣାଉଛି। ଜୟ ମାଧବ, ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.