ପୁରୀ: ଆଜି ପବିତ୍ର ସୁନାବେଶ । ସୁନାରେ ଛାଉଣୀ ହେବେ ଶ୍ରୀଜିଉ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ, ମନ୍ଦିର ଅଧିକାରୀ ତଥା ଗାରଦ କର୍ମଚାରୀମାନଙ୍କ ସହାୟତାରେ ତିନିରଥ ଉପରକୁ ଆସିଥାଏ। ଏହାପରେ ସୁନାରେ ତିନି ଠାକୁରଙ୍କୁ ଛାଉଣୀ କରାଯାଏ ।
ତେବେ କ’ଣ ଆପଣ ଜାଣନ୍ତି ଏହି ଦୁର୍ଲଭ ଦିନରେ କେଉଁ ଠାକୁର କେଉଁ ଅଳଙ୍କାର ପିନ୍ଧନ୍ତି? ପ୍ରଥମେ ଜାଣିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର- କାଳିଆ ଠାକୁର ରଥ ଉପରେ ସୁନାବେଶରେ ପାଦରେ ଶ୍ରୀପୟର, କିରିଟ, ହାତରେ ଶ୍ରୀଭୁଜ, ସ୍ଵର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ଓଢ଼ିଆଣୀ ବା କାନ ଫୁଲ, କମରପଟି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତ୍ରିଖଣ୍ଡିକା, ଝୋବାକଣ୍ଠି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକାରେ ସଜେଇ ହୁଅନ୍ତି ।
ସେହିପରି ବଡ ଠାକୁର ବଳଭଦ୍ର- ଶ୍ରୀପୟର, କିରିଟ, ଶ୍ରୀଭୁଜ, ହଳ ଓ ମୂଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ତ୍ରିଖଣ୍ଡିକା, କମରପଟି, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି ପିନ୍ଧୁଥିବା ବେଳେ ଦେବୀ ସୁଭଦ୍ରା କିରୀଟ, ଓଢ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ତଗଡ଼ି-୨ଟି, ସେବତୀ ମାଳି, ଘାଗଡ଼ା ମାଳି ଓ କଦମ୍ବ ମାଳିରେ ସୁସଜ୍ଜିତ ହୁଅନ୍ତି ।
ମହାପ୍ରଭୁଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡ଼ତଢାଉ ବେଶ ଅନ୍ୟତମ। ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), ହରିଶୟନ ଏକାଦଶୀ (ବାହୁଡ଼ା ଏକାଦଶୀ), କାର୍ତ୍ତିକ ପୂର୍ଣ୍ଣିମା (ରାଜରାଜେଶ୍ୱର ବେଶ) ଓ ବିଜୟାଦଶମୀ (ଦଶହରା), ଦିନ ଅନୁଷ୍ଠିତ ହୋଇଥାଏ । ମନ୍ଦିର ଭିତରେ ୪ ଥର ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଉଥିବା ବେଳେ ମନ୍ଦିର ବାହାରେ ଥରୁଟିଏ ଦେଇଥାନ୍ତି । ରଥଯାତ୍ରା ସମୟରେ ନଅ ଦିନର ପ୍ରବାସ ପରେ ଗୁଣ୍ଡିଚା ମନ୍ଦିରରୁ ଫେରିବା ପରେ, ସେବକମାନେ ଦେବତାମାନଙ୍କୁ ବିଭିନ୍ନ ପ୍ରକାରର ସୁନା ଅଳଙ୍କାରରେ ସଜ୍ଜିତ କରନ୍ତି। କୁହାଯାଏ ବାହୁଡା ଯାତ୍ରାରେ ହେଉଥିବା ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟମିଳେ, ମୁକ୍ତି ଲାଭ ହୋଇଥାଏ । ସେଥିପାଇଁ ଏହି ଦିନ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ ।
ସୁନାବେଶ ସମୟରେ ବ୍ୟବହୃତ ଅଳଙ୍କାରଗୁଡ଼ିକ ଏବଂ କେଉଁଠାରେ ସେଗୁଡିକ ପିନ୍ଧାଯାଏ…..:
1.ସୁନା ହସ୍ତ – ସୁବର୍ଣ୍ଣ ହାତ
2. ସୁନା ପୟର – ସୁବର୍ଣ୍ଣ ପାଦ
3. ସୁନା ମୁକୁଟ – ସୁବର୍ଣ୍ଣ ମୁକୁଟ
4. ସୁନା ମୟୂର ଚନ୍ଦ୍ରିକା – ଶ୍ରୀ ଜଗନ୍ନାଥଙ୍କ ଦ୍ୱାରା ବ୍ୟବହୃତ ଏକ ସୁବର୍ଣ୍ଣ ମୟୂର ପର
5. ସୁନା ଚୂଳପଟି – କପାଳରେ ପାରମ୍ପରିକ ଭାବରେ ପିନ୍ଧାଯାଉଥିବା ଏକ ସୁବର୍ଣ୍ଣ ଅଳଙ୍କାର
6. ସୁନା କୁଣ୍ଡଳ – ଝୁଲୁଥିବା ଗୋଲ ବଲ୍ ପ୍ରକାରର ସୁବର୍ଣ୍ଣ କାନଫୁଲ
7. ସୁନା ରାହୁରେଖା – ଦେବତାମାନଙ୍କ ଚାରିପାଖରେ ଏକ ଅର୍ଦ୍ଧ ବର୍ଗାକାର ଆକୃତିର ସୁବର୍ଣ୍ଣ ଆଭା
8. ସୁନା ମାଳା – ସୁନାରେ ତିଆରି ଅନେକ ଡିଜାଇନ୍ ସହିତ ହାର। ଏଥିରେ ଅନ୍ତର୍ଭୁକ୍ତ:
9. ପଦ୍ମ ମାଳା – କମଳ ଫୁଲର ହାର
10. ସେବତୀ ମାଳା – ସେବତୀ ଫୁଲର ହାର
11. ଅଗସ୍ତି ମାଳା – ଚନ୍ଦ୍ର ଆକୃତିର ଫୁଲ ଡିଜାଇନର ହାର
12. କଦମ୍ବ ମାଳା – କଦମ୍ବ ଫୁଲର ହାର
13. କଣ୍ଟି ମାଳା – ବଡ଼ ସୁନା ମଣିର ହାର
14. ମୟୂର ମାଳା – ମୟୂର ପର ଆକୃତିର ହାର
15. ଚମ୍ପା ମାଳା – ଚମ୍ପକ ଫୁଲର ହାର
16. ସୁନା ଚକ୍ର
17. ସୁନା ଗଦା
18. ସୁନା ପଦ୍ମ
19. ରୂପା ଶଙ୍ଖ(ଏଗୁଡିକୁ ସବୁ ହାତରେ ଧରନ୍ତି)
Comments are closed.