ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କାର୍ତ୍ତିକ ମାସର ବେଶ ପରମ୍ପରା ଅନନ୍ୟ, ରୀତିନୀତି ମଧ୍ୟ ଅନେକ ସ୍ୱତନ୍ତ୍ର, ଏମିତିରେ ବର୍ତ୍ତମାନ ଚାଲିଛି କାର୍ତ୍ତିକ ମାସର ସବୁଠାରୁ ପବିତ୍ର ଶେଷ ପାଞ୍ଚ ଦିନର ରୀତିନୀତି ଓ ବେଶ ପରମ୍ପରା। ସନାତନ ଧର୍ମ ଏହି ପାଞ୍ଚ ଦିନକୁ ଅତି ନିଷ୍ଠାର ସହ ପାଳିବାକୁ ପରାମର୍ଶ ଦେଇଥାଏ। ଯେଉଁ ଶ୍ରଦ୍ଧାଳୁମାନେ ମାସ ସାରା କାର୍ତ୍ତିକର କଠୋର ନିୟମ ପାଳି ନଥାନ୍ତି। କୁହାଯାଏ ଏହି ପଞ୍ଚୁକ ପାଞ୍ଚ ଦିନ କାର୍ତ୍ତିକ ବ୍ରତ କଲେ ମାସ ଯାକର ଫଳ ପ୍ରାପ୍ତି ହୋଇଥାଏ। ତେଣୁ ଏହି ପାଞ୍ଚ ଦିନକୁ ଶାସ୍ତ୍ର ଅନୁସାରେ ନାମ କରଣ ମଧ୍ୟ ହୋଇଛି ୧ . ପଞ୍ଚୁକ (କାର୍ତ୍ତିକ ଶୁକ୍ଳ ଏକାଦଶୀ ) ୨ . ମହା ପଞ୍ଚୁକ (କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ) ୩ . ବକ ପଞ୍ଚୁକ (କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ )୪ . ଭୀଷ୍ମ ପଞ୍ଚୁକ (କାର୍ତ୍ତିକ ଶୁକ୍ଳ ଚତୁଦଶୀ )ଓ ଶେଷରେ ୫ . କାର୍ତ୍ତିକ ପୁର୍ଣିମା (କାର୍ତ୍ତିକ ମାସ ଶେଷ ଓ ବ୍ରତ ମଧ୍ୟ ଶେଷ। କିନ୍ତୁ ଏହିଠାରେ ଗୋଟିଏ ପ୍ରସଙ୍ଗ କହିବି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ତାହା ହେଉଛି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ, ତ୍ରୟୋଦଶୀ ଓ ଚତୁଦର୍ଶୀରେ ହେଉଥିବା “ଶରତ ରାହାସ “। ଏହା ପଛର ଲୋକ କଥା ଜାଣିବା ଆଗାମୀ ଅଧ୍ୟାୟରେ, କାରଣ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଆଉ ଏକ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ତାହା ହେଉଛି “ଗରୁଡ଼ ଉତ୍ଥାପନ “. ନୀତି।
ଆଷାଢ଼ ଶୁକ୍ଳ ଏକାଦଶୀରେ ମହାପ୍ରଭୁମାନଙ୍କର ଶୟନ ଠାକୁରମାନେ ଶୟନ ଗୃହରେ ଶୟନ କରନ୍ତି। ଠିକ ତା ପରଦିନ ଦ୍ୱାଦଶୀ ତିଥିରେ ପ୍ରଭୁଙ୍କର ବାହାନ ଗାରୁଡ଼ଙ୍କର ମଧ୍ୟ ଶୟନ ନୀତି ହୋଇଥାଏ। ତତ ପରେ ଭlଦ୍ରବ ଶୁକ୍ଳ ଦ୍ୱାଦଶୀରେ ପାର୍ଶ୍ଵ ପରିବର୍ତ୍ତନ କଲେ ଗରୁଡ଼ ମହାରାଜ। ଆଜି ଅର୍ଥାତ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ମଧ୍ୟ ଉଠିଲେ। କାଲି ପ୍ରଭୁଙ୍କର ନିଦ୍ରା ଭଙ୍ଗ ପାଇଁ ସେବକ ଡାକିଲେ “ଉତ୍ତିଷ୍ଟୋତିଷ୍ଠ ଗୋବିନ୍ଦ ଉତ୍ତିଷ୍ଠ ଗରୁଡ଼ଧ୍ୱଜ, ଉତ୍ତିଷ୍ଠ କମଳାକାନ୍ତ ତୈଲୋକ୍ୟ ମଙ୍ଗଳ କୁରୁ “ସେହିଭଳି ଠିକ “ହରି ଉତ୍ଥାପନ “ପରେ ପରେ ଗରୁଡ଼ ଉତ୍ଥାପନ ନୀତି ପାଳିତ ହୋଇଥାଏ। ସେହିପରି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀର ବିଶେଷ ନୀତି ହେଲା “ବାଙ୍କଚୂଡ଼ ବେଶ “। ଏହାଙ୍କୁ କେହି କେହି କହନ୍ତି “ବାମନ ବେଶ “। ଏହି ବେଶରେ ଚନ୍ଦ୍ରିକା ଚୁଳ ସହିତ ଦକ୍ଷିଣ ପଟକୁ ଆଡ଼ ଖୋସା ପଡେ। ଏହି ବେଶର ବିଶେଷତ୍ୱ ହେଲା ଏହା ଶ୍ରୀଜୀଉମାନଙ୍କୁ ସାମାନ୍ୟ ଗେଡା ବା ବାମନ ଭଳି ଦୃଶ୍ୟ କରାଏ। ତେଣୁ ଚୂଡ଼ା ଦକ୍ଷିଣ ଦିଗକୁ ବଙ୍କା ଥିବାରୁ “ବାଙ୍କଚୂଡ଼ା ବେଶ “ଓ ସାମାନ୍ୟ ଗେଡା ଦିଶୁଥିବାରୁ “ବାମନ ବେଶ ” କୁହାଯାଏ। ପବିତ୍ର ପଞ୍ଚୁକର ଅନ୍ୟାନ୍ୟ ବେଶ ଓ ରୀତିନୀତି ଜାଣିବା ଆଗାମୀ ଅଧ୍ୟାୟମାନଙ୍କରେ। ଏବେ ଆରାଧନା ଓ ଭାଗବତ ପଠନ ସମୟ ହୋଇଛି ।
“ପରଂବ୍ରହ୍ମ ତୋ ମହିମା
କେ ଜାଣିପାରେ ଗୁଣ ସୀମା ।
ବିଶ୍ୱ ଉତ୍ପତି ସ୍ଥିତି ନାଶ
ତୋହର ଚରଣୁ ପ୍ରକାଶ ।
ସକଳ ଭୁତେ ତୋର ସ୍ଥିତି
ତୁ ନାଥ ତ୍ରିଭୁବନ ପତି ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.