ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ପରମ୍ପରାର ଆଲୋଚନା ଅବସରରେ ଆମେ ଦୈନିକ ବେଶ, ବିଭିନ୍ନ ପର୍ବ ପର୍ବାଣୀର ବେଶ ଭକ୍ତଙ୍କ ଉଦ୍ଦେଶ୍ୟରେ ବେଶ ଆଦି ଆଲୋଚନା କଲେ। ଆଜି ଏକ ଏମିତି ବେଶ କଥା ଆଲୋଚନା କରିବା ଯାହା ଆଜିକୁ ପ୍ରାୟ ୧୧୮ ବର୍ଷ ପୂର୍ବେ ଶେଷଥର ପାଇଁ ହୋଇଥିବାର ପ୍ରମାଣ ମିଳୁଛି। ତାପରେ ଏହି ବେଶ ହୋଇଛି କି ନାହିଁ ତାର କୌଣସି ସଠିକ ପ୍ରମାଣ ନାହିଁ। ନାଗାର୍ଜୁନ ବେଶ ପରି ।ଏହା ଏକ ସାମୟିକ ବେଶ ଓ ଏହା ପ୍ରତିବର୍ଷ ନହୋଇ ଏକ ନିର୍ଦ୍ଧିଷ୍ଟ ତିଥିରେ। ନିର୍ଦ୍ଧିଷ୍ଟ ବର୍ଷ ହୋଇଥାଏ। ପୁରାତନ ପତ୍ରିକା “ଉତ୍କଳ ଦୀପିକା “ର ତଥ୍ୟ ଅନୁସାରେ ୧୯୦୫ ମସିହା ଏପ୍ରିଲ ମାସ ୨୭ ତାରିଖରେ ଏହି ବେଶ ହୋଇଥିଲା। ୧୯୦୫ ମସିହାରେ ରାଜା ମୁକୁନ୍ଦଦେବ (୩ୟ )ଙ୍କ ତତ୍ୱାବଧାନରେ ଏହି ବୃହତ ଓ ବ୍ୟୟ ବହୁଳ ବେଶ ଅନୁଷ୍ଠିତ ହୋଇଥିଲା। ଏହି ବେଶରେ ଶ୍ରୀଜଗନ୍ନାଥ, ଶ୍ରୀରାମଚନ୍ଦ୍ରଙ୍କ ବେଶ ଧାରଣ କରିଥଲେ। ବଡ଼ବାଡ଼ ଠାକୁର ବଲଭଦ୍ର ହୋଇଥିଲେ ଲକ୍ଷ୍ମଣ, ଠିକ ରାମାୟଣର ପୃଷ୍ଠଭୂମିକୁ ନେଇ ଶ୍ରୀରାମଙ୍କ ବାମପାର୍ଶ୍ଵରେ ରହିଥିଲେ ଭରତ ଓ ଶତ୍ରୁଘ୍ନ। ସେମାନେ ଧାରଣ କରିଥିଲେ ଚାମର ଓ ଛତ୍ର। ଏଣେ ଲକ୍ଷ୍ମଣଙ୍କ ଦକ୍ଷିଣପାର୍ଶ୍ଵରେ ବ୍ରହ୍ମl ଓ ବଶିଷ୍ଠ ଆଦି ଋଷି ଗଣ ଠିଆ ହୋଇଥିଲେ ଶ୍ରୀରାମଙ୍କ ବାମ ଜାନୁରେ ଲଷ୍ମୀ ପ୍ରତିମା ମା ସୀତାଙ୍କ ସ୍ୱସୃପରେ ଅବସ୍ଥାନ କରିଥିଲେ। ରତ୍ନ ସିଂହାସନକୁ ଲାଗି କଳାହାଟ ଦ୍ୱାର ପର୍ଯ୍ୟନ୍ତ ସରୁପଟା ପଡିଥିଲା, ଯାହା ଉପରେ ଅଙ୍ଗଦ, ଜମ୍ଭବାନ, ବିଭୀଷଣ, ନଳ, ନୀଳ ପ୍ରଭୃତି ଦଣ୍ଡାୟମାନ ହୋଇଥିଲେ। ତେଣୁ ଏହି ବେଶର ଭଵ୍ୟତା ସହଜରେ ଅନୁମେୟ। ଏହି ବେଶରେ ସୁନା ବେଶ ପରି ଅନେକ ସୁବର୍ଣ୍ଣ ଅଳଙ୍କାର ଶ୍ରୀଜୀଉମାନଙ୍କୁ ଲାଗି ହୋଇଥିଲା। ବୈଶାଖ ମାସରେ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ପାଳନ ଅବସରରେ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ଶ୍ରୀମନ୍ଦିର ସତ୍ୱଲିପି, ଯାତ୍ରାକର୍ମାଙ୍ଗୀରେ ଉଲ୍ଲେଖ ଥିଲେ ମଧ୍ୟ ଏହାର ବ୍ୟୟ ବହୁଳତା ଯୋଗୁ ୧୯୦୫ ମସିହା ପରେ ଆଉ ଏହି ବେଶ ହୋଇନାହିଁ। ତେଣୁ ଇତିହାସ ପ୍ରସିଦ୍ଧ ଏହି “ରଘୁନାଥ ବେଶ “ଭକ୍ତମାନେ ଦେଖିବାର ସୁଯୋଗରୁ ବଞ୍ଚିତ ଅଛନ୍ତି। ପୁଣି ସେହି ଇଚ୍ଛାମୟଙ୍କ ଇଚ୍ଛାକୁ ସମ୍ମାନ ଜଣାଇ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।
“ବୋଲନ୍ତି ଜଗତ ଜୀବନ
ଏ ଯୋଗ ଗତି ତତ୍ତ୍ୱ ଜ୍ଞାନ ।
ଏହା ଯେ ନଧରିବେ ଚିତ୍ତେ
ସଂସାରୁ ତରିବେ କେମନ୍ତେ ।
ତୁ ଯେବେ ମନ ମୋର ଦେହେ
ଧରି ନପାରୁ ମାୟା ମୋହେ ।
ତେବେ ସକଳ କର୍ମ ମୋତେ
ସମର୍ପି ରହ ଦୃଢ଼ ଚିତ୍ତେ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.