Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ବିଷୟରେ ଆଲୋଚନା ଜାରି ରହିଛି। ଏହି କ୍ରମରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରିବା ପରେ ଠାକୁରମାନେ ସକାଳ ଭୋଗ ନଖାଇ ଆଗ ଭକ୍ତମାନଙ୍କୁ ଦର୍ଶନ ଦେଲେ, ତାପରେ ରୋଷ ହୋମ ଓ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସରିବା ପରେ ଲାଗେ ଗୋପାଳବଲ୍ଲଭ ଭୋଗ :-ଶ୍ରୀଜୀଉମାନଙ୍କର ଏହା ଜଳଖିଆ ଭାବେ ବିବେଚିତ ହୋଇଥାଏ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ପ୍ରାତଭୋଜନର ସମୟ ସକାଳ ନଅ ଘଟିକା ଅଟେ। ଏହା ଏକ ସୁନ୍ଦର ଜଳଖିଆ ଅଟେ ଏଥିରେ ଥାଏ ପାଗ ଖଇ, ନଡ଼ିଆକୋରା, ଦହି, ପାତି ବା ଖୁଦି ନଡ଼ିଆ, ପାଚିଲା କଦଳୀ ଇତ୍ୟାଦି, ଏଇ କେତେବର୍ଷ ହେବ ନିୟମିତ ଖୁଆମଣ୍ଡା ମଧ୍ଯ ଭୋଗରେ ସାମିଲ ହୋଇଛି। ଏହି ନୀତି ସମ୍ପୃକ୍ତ ସେବକମାନେ ହେଲେ ପୂଜାପଣ୍ଡା, ସୁଧ ସୁଆର, ବଲ୍ଳଭ ଯୋଗାଣିଆ, ସୁଆରବଡୁ, ପତ୍ରିବଡୁ, ଗରାବଡୁ, ପାଳିଆ ମହାସୁଆର, ପ୍ରଧାନୀ ଇତ୍ୟାଦି। ଏହି ଭୋଗ ସାଧାରଣତଃ ଅଣସର ପିଣ୍ଡିରେ ବଢ଼ା ଯାଇଥାଏ। ପ୍ରତି ବାଡ଼ ପାଇଁ ଜଣେ ଜଣେ ପୂଜାପଣ୍ଡା (ସମୁଦାୟ ୩ ଜଣ )ପଞ୍ଚ ଉପଚାରରେ ଗୋପାଳବଲ୍ଳଭ ଭୋଗ ସମର୍ପଣ କରନ୍ତି /ପୂଜା କରନ୍ତି। ଧନୁ ମାସରେ ପହିଲି ଭୋଗ ସହ ଏହି ଭୋଗ ଲାଗି ହୋଇଥାଏ। ଦୋଳ ପୁର୍ଣିମା ଓ ସ୍ନାନ ପୁର୍ଣିମା ଦିନ ବଲ୍ଳଭ ଭୋଗ ସହ ସକାଳ ଧୂପ ଭୋଗ ଏକାଠି ହୋଇଥାଏ। ପ୍ରଭୁଙ୍କର ବଲ୍ଳଭ ଭୋଗ ପୂର୍ବରୁ ହେଉଥିବା ସୂର୍ଯ୍ୟ ପୂଜା ଓ ଜୟ ବିଜୟ ପୂଜା ର ସମୟ ପ୍ରାୟତଃ ୮.୩୦ ଠାରୁ ୮.୪୫ ଘଟିକା ସକାଳୁ ହୋଇଥାଏ। ସୂର୍ଯ୍ୟ ପୂଜା ମୁକ୍ତିମଣ୍ଡପ ପାର୍ଶ୍ଵରେ ଥିବା ସୂର୍ଯ୍ୟ ମନ୍ଦିରରେ ଜଣେ ପୂଜାପଣ୍ଡାଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ସେହି ପରି ଦ୍ୱାରପାଳ ପୂଜା ଜୟ ବିଜୟ ଦ୍ୱାର ନିକଟରେ ଜଣେ ପୂଜାପଣ୍ଡା କରିଥାନ୍ତି । ଏହି ସବୁ ବିଷୟ ଅନୁଧ୍ୟାନ କଲେ ଜଣାଯାଏ ଆମ ଠାକୁର ନିଜ ଭକ୍ତ, ଅନୁଗତ ଓ ପରମ୍ପରାକୁ କେତେ ସମ୍ମାନ କରନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଅନ୍ୟାନ୍ୟ ନିତ୍ୟ -ବିଧି କଥା କିନ୍ତୁ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ର ସବୁଦିନ ପରି ।

ଏ ସର୍ବ ମାୟାର ସଂଚାର
ଏଣୁ ତୁ ବିଶ୍ୱାସ ନ କର ।
ବିବିଧ ଅର୍ଥେ ପ୍ରାଣୀ ଭ୍ରମେ
ଅନ୍ଧ ଯେସନେ ଘୋର ତମେ ।
ସଂସାରେ ଭେଦ ବୁଦ୍ଧି କରେ
ଦୋଷ ଗୁଣକୁ ସେ ବିଚାରେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.