Latest Odisha News

BREAKING NEWS

ଡବଲ ଡେକରରେ ଝଲସୁଛି ଓଡିଶା ସଂସ୍କୃତି: ୬ରୁ ଗଡିବ

ବ୍ରହ୍ମପୁର: ଓଡିଶା ରାସ୍ତାରେ ଗଡିବ ଡବଲ ଡେକର ବସ୍ । ଏବେ ଦିଲ୍ଲୀ, ମୁମ୍ବାଇ ଭଳି ରାଜଧାନୀରେ ଭୁବନେଶ୍ବର, କଟକ, ଏବଂ ପୁରୀକୁ ସଂଯୋଗ କରିବ ଏହି ଇଲେକ୍ଟ୍ରିକ୍ ଚାଳିତ ଡବଲ ଡେକର ବସ୍ । ତେବେ ପ୍ରାଥମିକ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୫ ଟି ବସ୍ ରାଜ୍ୟକୁ ଆସିବାକୁ ଥିବା ବେଳେ ଆଜି ଓଡିଶାରେ ଆସି ପହଞ୍ଚିଛି ପ୍ରଥମ ଡବଲ ଡେକର ବସ୍ । ବ୍ରହ୍ମପୁର ଠାରେ ଏହି ପ୍ରଥମ ବସ୍ ପହଞ୍ଚିଥିବା ବେଳେ ଆସନ୍ତାକାଲି ଆଉ ତା ପରଦିନ ଆଉ ୩ଟି ବସ୍ ପର୍ଯ୍ୟାୟକ୍ରମେ ଓଡିଶାରେ ଆସି ପହଞ୍ଚିବେ ।

ତେବେ ସବୁଠୁ ବଡ କଥା ହେଉଛି, ବ୍ରହ୍ମପୁର ଠାରେ ଆସି ପହଞ୍ଚିଥିବା ଡବଲ ଡେକର ବସରେ ଓଡିଶା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ଏହି ବସର ଆଗରେ କୋଣାର୍କ ଚକ୍ର ରହିଥିବା ବେଳେ ଚାରିପଟେ ପୁରୀ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଭଳି ଓଡିଶା ସଂସ୍କୃତିର ଅନେକ ଚିହ୍ନ ରହିଛି । କ୍ରୁଟ ଦ୍ବାରା ଯୋଗାଯାଇଥିବା ଏହି ଇ-ଚାଳିତ ଡବଲ ଡେକର ବସ ମଧ୍ୟରେ ପାଖାପାଖି ୬୪ଟି ସିଟ୍ ଥିବା ସୂଚନା ମିଳିଛି ।

ପ୍ରବାସୀ ଭାରତୀୟ ଦିବସ ପାଇଁ ମହାରାଷ୍ଟ୍ରରୁ ଆସି ଓଡ଼ିଶାରେ ବ୍ରହ୍ମପୁରରେ ପହଞ୍ଚିଲା ଡବଲ୍ ଡେକର୍ ବସ୍ । ଯାହା ଆସନ୍ତା ୬ରୁ ରାଜ୍ୟରେ ଗଡିବ । ପ୍ରଥମେ ପ୍ରବାସୀଙ୍କୁ ବୁଲାଇବ ପରେ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଏବେ ଏହା ମହାରାଷ୍ଟ୍ରରୁ ଆସି ବ୍ରହ୍ମପୁରରେ ପହଞ୍ଚିଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିବ ଇଲେକ୍ଟ୍ରିକ ଡବଲ ଡେକର ବସ୍ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ।

ଏନେଇ ମନ୍ତ୍ରୀ କହିଛନ୍ତି, ଆଜି ଦୁଇଟି ଗାଡ଼ି ପହଞ୍ଚିବ । ପରେ ଆଉ ୩ଟି ବସ୍ ମୁମ୍ବାଇରୁ ଆସିବ। ପ୍ରଥମେ ପ୍ରବାସୀ ଭାରତୀୟଙ୍କ ବ୍ୟବହାର ନିମନ୍ତେ ଏହାର ଉପଯୋଗ କରାଯିବ । ପରେ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଏହା ଚାଲିବ । ଆସନ୍ତା ୮ରୁ ୧୦ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ଭୁବନେଶ୍ୱରର ଜନତା ମଇଦାନରେ ‘ପ୍ରବାସୀ ଭାରତୀୟ ଦିବସ’ ସମାରୋହ ପାଳିତ ହେବ । ଏହି ସମୟରେ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ । ତାହା ପୂର୍ବରୁ ରାଜଧାନୀର ରାଜରାସ୍ତାରେ ଟ୍ରାଏଲ ରନ୍‌ କରିବ ଡବଲ ଡେକର୍ ବସ୍‌ ।

ଏନେଇ ଆସନ୍ତା ୬ ତାରିଖରେ ଡବଲ ଡେକର ବସ୍ ଲୋକାର୍ପଣ ହେବ । ଏଥିପାଇଁ ରାସ୍ତା କାମ, ସଫେଇ ଓ ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ବରେ ଥିବା ବିଭାଗୀୟ ସରକାରୀ ଅଧିକାରୀଙ୍କ ସହ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହିତ ରାସ୍ତା ଖୁବଶୀଘ୍ର ସଜାବଡିବା ପାଇଁ ପରାମର୍ଶ ଦେଇଛନ୍ତି ।

Comments are closed.