ଶ୍ରୀନଗର: ଭାରତୀୟ ସେନା ବୁଧବାର (୮ ଅକ୍ଟୋବର) ସୂଚନା ଦେଇଛି ଯେ ଜମ୍ମୁ – କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଦୁଇ ଜଣ ଯବାନ ନିଖୋଜ ଅଛନ୍ତି । ସେନା ଅନୁଯାୟୀ, ଚେନାବ ଉପତ୍ୟକାର କିସ୍ତୱାର-କୋକେରନାଗ ରେଞ୍ଜରେ ଅକ୍ଟୋବର ୬-୭ ତାରିଖରେ ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ଦୁଇ ଯବାନ ନିଖୋଜ ହୋଇଛନ୍ତି । କୁହାଯାଉଛି ଯେ ଦକ୍ଷିଣ କାଶ୍ମୀରର କିସ୍ତୱାର ରେଞ୍ଜର ଦୁଇ ଯବାନ ପ୍ରବଳ ତୁଷାରପାତ ଏବଂ ତୁଫାନରେ ଫସି ଯାଇଥିଲେ ଓ ଏହାପରେ ସେମାନଙ୍କ ଦଳ ସହିତ ଯୋଗାଯୋଗ ବିଚ୍ଛନ୍ନ ହୋଇଛି ।
ଭାରତୀୟ ସେନା କହିଛି ଯେ ଯବାନମାନଙ୍କୁ ଖୋଜା ଚାଲିଛି, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଅସୁବିଧା ସୃଷ୍ଚି ହେଉଛି।
ଅଧିକାରୀମାନେ କହିଛନ୍ତି ଯେ ନିଖୋଜ ଯବାନଙ୍କ ପାଇଁ ଜମ୍ମୁ ଡିଭିଜନର କିସ୍ତୱାର ପାର୍ଶ୍ୱ ଏବଂ କାଶ୍ମୀର ଡିଭିଜନର କୋକେରନାଗ ପାର୍ଶ୍ୱରେ ପର୍ବତମାଳାର ଉଭୟ ପାର୍ଶ୍ୱରେ ସନ୍ଧାନ ଅଭିଯାନ ଜାରି ରହିଛି। ଗତ ତିନି ଦିନ ମଧ୍ୟରେ ଦକ୍ଷିଣ କାଶ୍ମୀରର ପାର୍ବତ୍ୟାଞ୍ଚଳରେ ଛଅରୁ ଆଠ ଇଞ୍ଚ ତୁଷାରପାତ ହୋଇଛି। ସୁରକ୍ଷା ବାହିନୀ ପ୍ରତ୍ୟେକ ଦିଗକୁ ଯାଞ୍ଚ କରୁଛନ୍ତି ଏବଂ କୋକେରନାଗ ଓ କିସ୍ତୱାରର ଦୁର୍ଗମ ଅଞ୍ଚଳ ଏବଂ ଘନ ଜଙ୍ଗଲରେ ବିଭିନ୍ନ ସ୍ଥାନରୁ ଏକାଧିକ ଅପରେସନ ଆରମ୍ଭ କରିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା ଯବାନମାନଙ୍କ ସହ କୌଣସି ଯୋଗାଯୋଗ ସ୍ଥାପନ ହୋଇନାହିଁ।
ସର୍ଚ୍ଚ ଅପରେସନରେ ସ୍ଥଳସେନାକୁ ସହାୟତା କରିବା ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ସେନା, ଅନ୍ୟାନ୍ୟ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ପୋଲିସ ଦୁଇ ଯବାନଙ୍କୁ ଖୋଜିବା ପାଇଁ ଜଙ୍ଗଲରେ ତଲାସି ଚଳାଇଛନ୍ତି।
Comments are closed.