Latest Odisha News

ଅସୁରକ୍ଷିତ ଜାତୀୟ ପଶୁ: ବାଘ ଶିକାର କରି ଖାଇଗଲେ ଶିକାରୀ

ନୂଆପଡ଼ା: ଅସୁରକ୍ଷିତ ଜାତୀୟ ପଶୁ। ଜିଲ୍ଲାରେ ଜାତୀୟ ପଶୁର ବାରମ୍ବାର ଶିକାର ହେଉଥିବା ବେଳେ ଶିକାରୀ ଗିରଫ ହେଉଛନ୍ତି ହେଲେ ବାଘକୁ ସୁରକ୍ଷା ଦେବାରେ ଫେଲ ମାରୁଛି ବନ ବିଭାଗ। ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଜିଲ୍ଲାରେ ପ୍ରତ୍ୟେକ ମାସେ ଦୁଇ ମାସ ରେ ବାଘ ଛାଲ, ନଖ, ମାଂସ ଜବତ ହୋଇ ଅଭିଯୁକ୍ତ ଗିରଫ ହେଉଛନ୍ତି। ହେଲେ ଶିକାରୀଙ୍କ ସଂଖ୍ୟା କମିବା ବଦଳରେ ବଢି ଚାଲିଛି।

ଗତ ଏକ ମାସ ତଳେ ଖଡ଼ିଆଳ ଦାବ୍ରି ଗାଁରୁ ବାଘ ଛାଲ, ନଖ ସହ ବିଭିନ୍ନ ପଶୁ ପକ୍ଷୀଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ଜବତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତକାଲି ଆଉ ଏକ ବାଘ ହତ୍ୟାର ଖବର ସାମ୍ନାକୁ ଆସିଛି କୋମନା ରେଞ୍ଜ ଅଞ୍ଚଳରୁ। ଏଥିରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଦୁଇରୁ ତିନି ଜଣ ଫେରାର ଥିବା ଖଡ଼ିଆଳ ଏସିଏଫ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ସୁନାବେଡ଼ା ଅଭୟାରଣ୍ୟ ଦେଓଧରା ଗାଁ ନିକଟସ୍ଥ ଜଙ୍ଗଲରେ ଶିକାରୀ ମାନେ ବିଦ୍ୟୁତ୍ ତାର ଖଞ୍ଜି ବାଘକୁ ହତ୍ୟା କରିଥିଲେ। ବାଘ ହତ୍ୟା ପରେ ତାର ମାଂସକୁ ପୋଡ଼ି ଖାଇଥିଲେ। ବିଶେଷ ସୂତ୍ରରୁ ବନ ବିଭାଗ ଖବର ପାଇ ଦେଓଧରା ଗାଁର କିଛି ଘରେ ଚଢ଼ାଉ କରିଥିଲା। ଚଢାଉ ସମୟରେ ବାଘ ଛାଲ, ଲାଞ୍ଜ, ମାଂସ ସହ ବାରହା ମାଂସକୁ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇରୁ ତିନି ଜଣ ଫେରାର ହୋଇ ଯାଇଥିଲେ। ବର୍ତ୍ତମାନ ଗିରଫ ଦୁଇ ଅଭିଯୁକ୍ତଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ACF ମହମ୍ମଦ ସାଲେହା ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.