Latest Odisha News

ଭାରତରେ କାୟା ବିସ୍ତାର କଲାଣି ଏଚଏମପିଭି ଭାଇରସ, ନାଗପୁରରୁ ପୁଣି ୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଚୀନ ପରେ ଭାରତରେ କାୟା ବିସ୍ତାର କଲାଣି ଏଚଏମପିଭି ଭାଇରସ । ପୁଣି ଦେଶକୁ ଫେରିବକି ଲକଡାଉନ୍ । ଗତକାଲି ପ୍ରଥମେ ବେଙ୍ଗାଲୁରୁରୁ ୨ଟି ମାମଲା ଚିହ୍ନଟ ହେବା ପରେ ଧିରେ ଧିରେ ବଢିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ନାଗପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ । ଦୁହେଁ ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ତାଙ୍କର ଟେଷ୍ଟ କରାଯାଇଥିଲା । ଟେଷ୍ଟରେ ସେମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ, ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୮ଟି ମାମଲା ସାମ୍ନାକୁ ଆସିଛି । ଗତକାଲି ଗୋଟିଏ ଦିନରେ ୬ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ କର୍ଣ୍ଣାଟକର ୨ ଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ, ଅହମଦାବାଦରେ ଜଣେ, ପଶ୍ଚିମବଙ୍ଗର ଜଣେ ଏବଂ ଚେନ୍ନଇେର ଦୁଇ ଜଣ ଶିଶୁ ଚିହ୍ନଟ ହୋଇଛନ୍ତି। ପ୍ରଥମେ ବେଙ୍ଗାଲୁରୁର ଏକ ହସ୍ପିଟାଲରୁ ୮ ମାସର ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ଭାରତର ପ୍ରଥମ ମାମଲା ଥିଲା ବୋଲି କୁହାଯାଇଥିଲା ।

ସେପଟେ କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଏଚଏମପିଭି ଭାଇରସ୍ ମାମଲା ବୃଦ୍ଧି ଦେଶରେ କୋଭିଡ ପରି ପରିସ୍ଥିତି ସୃଷ୍ଟି କରିବ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗତକାଲି ଏକ ଭିଡିଓ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏଚଏମପିଭି ଭାଇରସ୍ ନୂଆ ନୁହେଁ । ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ ଏହି ଜୀବାଣୁ ପ୍ରଥମେ ୨୦୦୧ ରେ ଚିହ୍ନଟ ହୋଇଥିଲା ଏବଂ ଏହା ପରଠାରୁ ଏହି ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଚଏମପିଭି ଭାଇରସ୍ ବାୟୁ ମାଧ୍ୟମରେ ବ୍ୟାପିଥାଏ ଏବଂ ଏହା ସମସ୍ତ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ । ଏହାର ପ୍ରାଦୁର୍ଭାବ ବିଶେଷତଃ ଶୀତ ଏବଂ ବସନ୍ତ ଋତୁରେ ଦେଖାଯାଏ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ନିକଟ ଅତୀତରେ ଚାଇନାରେ ଏଚଏମପିଭି ମାମଲା ବୃଦ୍ଧି ପାଇଥିବାର ଖବର ଆସିଛି। ଏହା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଏବଂ ଏନସିଡିସି ତୀକ୍ଷ୍ଣ ନଜର ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏଥିପ୍ରତି ଧ୍ୟାନ ଦେଉଛି ଏବଂ ଶୀଘ୍ର ଏହାର ରିପୋର୍ଟ ସେୟାର କରାଯିବ ।

Leave A Reply

Your email address will not be published.