Latest Odisha News

BREAKING NEWS

ଅନ୍ତରୀଣ ବଜେଟ: ୨ କୋଟି ନୂଆ ଘର ମିଳିବ, ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ଏହିମାନେ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ କୋଭିଡ୍ ମହାମାରୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଘର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ୨ କୋଟି ନୂଆ ଘର ମଧ୍ୟ ଦିଆଯିବ।

ବଢୁଥିବା ଜନସଂଖ୍ୟା ଏବଂ ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ କୋଟି ନୂଆ ଘର ଦିଆଯିବ । ସାରା ଦେଶରେ ଘରେ ଘରେ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ ଲଗାଯିବ । ୧ କୋଟି ପରିବାରକୁ ମାଗଣାରେ ମିଳିବ ୩୦୦ ୟୁନିଟ୍ ବିଜୁଳି । ଏଥିରୁ ୧୫ରୁ ୧୮ ହଜାର ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି। ଏହା ସହ ଗ୍ରାମୀଣ ଘରେ ବିଜୁଳି ପହଞ୍ଚାଇବାରେ ମଧ୍ୟ ଏହା ସହାୟକ ହେବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାର ପରିସର ବୃଦ୍ଧି କରାଯିବ। ମାଗଣା ଚିକିତ୍ସା ଦ୍ୱାରା ଚିକିତ୍ସା ଖର୍ଚ୍ଚ ସଞ୍ଚୟ ହେବ। ଏଥିରେ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସାମିଲ ହେବେ।

ଗର୍ଭାଶୟ କର୍କଟ ଟିକାକରଣ ଅଭିଯାନ ଆରମ୍ଭ ହେବ। ୯ରୁ ୧୪ ବର୍ଷ ବୟସର ଝିଅଙ୍କୁ ଟିକା ଦିଆଯିବ। ବର୍ତ୍ତମାନର ଜିଲ୍ଲା ଡାକ୍ତରଖାନାଗୁଡ଼ିକୁ ମେଡିକାଲ କଲେଜରେ ପରିଣତ କରାଯିବ। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ରହିବ। ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ସ୍ୱାସ୍ଥ୍ୟ ଖର୍ଚ୍ଚ ହ୍ରାସ କରିବ।

Leave A Reply

Your email address will not be published.