ମାଲକାନଗିରି: ଜିଲ୍ଲାରେ ବନ୍ୟା ପରିସ୍ଥିତି ଟଳିଗଲା। ହେଲେ ବ୍ୟାପିଗଲା ଝାଡାବାନ୍ତି। ମାଲକାନଗିରି ଜିଲ୍ଲାର ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ମାଥିଲି ବ୍ଲକ କୁଟୁଣୀପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଅଟାଲଗୁଡ଼ା ଗ୍ରାମର ଦୁଇଜଣ ମହିଳାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ମୃତକ ସୁନାଦେଇ କଟିଆ ଏବଂ କମଳା ନାୟକ ବୋଲି ସୂଚନା ମିଳିଛି।
ସେହିପରି ଆଉ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଶ୍ୟାମ କଟିଆ ଓ ଦୁରାଗୁଡ଼ା ଗ୍ରାମର ତୁଳସୀ ଭୂମିଆଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବର୍ଷାର ପ୍ରକୋପ ଥମିବା ପରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଲୋକେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେଉଛନ୍ତି।
ଅପରପକ୍ଷରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଶଯ୍ୟା ଅଭାବ ପଡ଼ୁଛି। ଅନେକ ରୋଗୀଙ୍କୁ ତଳେ ଶୁଆଇ ସାଲାଇନ୍ ଦିଆଯାଉଥିବା ଦେଖିବାକୁ ମିଳିଛି। ବହୁ ସଂଖ୍ୟାରେ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଖବର ପାଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ମାଥିଲି ଡାକ୍ତରଖାନା ପରିଦର୍ଶନ କରିଥିଲେ। ସାଂସଦ ରୋଗୀଙ୍କୁ ଉଚିତ୍ ଚିକିତ୍ସା ସେବା ଯୋଗାଇଦେବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Comments are closed.