କାମାକ୍ଷାନଗର:ଦିନର କ୍ଲାନ୍ତି ମେଣ୍ଟାଉଥିଲେ ରାତିରେ । କୋଳରେ ୮ ବର୍ଷର ପୁଅକୁ ଧରି ଶୋଇ ଯାଇଥିଲେ ନିଘୋଡ ନିଦରେ । ହେଲେ ଜାଣି ନ ଥିଲେ ସେ ଆଉ ଉଠିବେନି ବୋଲି । ଭାବି ନ ଥିଲେ, ଯାତ୍ରା ପଡିଆ ତାଙ୍କ ପାଇଁ ଶେଷଶଯ୍ୟା ପାଲଟିବ ବୋଲି । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।
ପତ୍ନୀ ଚିତ୍ର ଓ ପୁଅ ଲିପୁଙ୍କୁ ନେଇ ତ୍ରିନାଥ ପଧାନଙ୍କ ଗରିବ ପରିବାର । ଘର ଢେଙ୍କାନାଳ ଜିଲ୍ଲା ବେଲବସନ୍ତ ଗାଁରେ । ହେଲେ ପେଟ ପାଟଣା ପାଇଁ ପତ୍ନୀ ଓ ପୁଅକୁ ଧରି ଗାଁ ଗାଁ ବୁଲି କାମ କରନ୍ତି ତ୍ରିନାଥ । ଯେଉଁଠି କାମ ମିଳେ ସେଇଠାରେ ରାତିକଟେ । ଢେଙ୍କନାଳ ଜିଲ୍ଲା ମହାବିରୋଡ ଥାନା ଅଞ୍ଚଳରେ ଏମାନେ କାମ କରନ୍ତି । ରାତି ହେଲେ ନିକଟସ୍ଥ କୁଟୁରିଆ ଯାତ୍ରା ପଡ଼ିଆରେ ଶୋଇ ଯାଆନ୍ତି ।
ଗତକାଲି ରାତିରେ କାମ କରିବା ଥକି ଯାଇ ଏହି ପଡିଆରେ ଶୋଇ ପଡିଥିଲେ । ପୁଅ ଲିପୁକୁ ଧରି ମା’ ଚିତ୍ର ଗୋଟିଏ କୁଡିଆରେ ଶୋଇ ଥିବାବେଳେ ଟିକିଏ ଦୂରରେ ଶୋଇଥିଲେ ତ୍ରିନାଥ । ହେଲେ ବିଳମ୍ବିତ ରାତିରେ ଯେମିତି ମାଡି ଆସିଥିଲା ଯମ । ଏକ ଟ୍ରକ ବିଳମ୍ବିତ ରାତିରେ ଆସି ମା’, ପୁଅ ଶୋଇଥିବା କୁଡିଆର ଉପରେ ଚଢିଗଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ହେଲେ ପର୍ଜଙ୍ଗ ମେଡିକାଲରେ ମା’ର ମୃତ୍ୟୁ ଘଟିଥିବାବେଳେ କାମାକ୍ଷା ନଗର ମେଡିକାଲରେ ପୁଅ ଲିପୁର ମୃତ୍ୟୁ ଘଟିଛି ।
ଏହି ଦୁ୍ର୍ଘଟଣାରେ ଅନ୍ୟ ୪ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇ ଯାଇଛି । ପୋଲିସ ଗାଡିକୁ ସିଜ କରି ଘଟଣାର ତଦନ୍ତ କରୁଛି ।
Comments are closed.