ଭୁବନେଶ୍ୱର: ରାଜଧାନୀରେ ଦୁଇ ଜଣ ଡେଙ୍ଗୁ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁର ଗୋଟିଏ ଦିନ ପରେ ସୋମବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି।
ନିରଞ୍ଜନ ମିଶ୍ରଙ୍କ କହିବାନୁସାରେ, ଡେଙ୍ଗୁ ମୃତ୍ୟୁ ଘୋଷଣା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସାଧାରଣତଃ ଡାକ୍ତରଖାନା ଘୋଷଣା କରିବା ପରେ ଅଡିଟ୍ କରାଯାଇଥାଏ ବୋଲି ସେ କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲରୁ ଡେଙ୍ଗୁ ମୃତ୍ୟୁ ନେଇ କୌଣସି ସୂଚନା ମିଳିନାହିଁ, କାରଣ ଏହା ଅଭିଯୋଗ କରାଯାଉଛି। ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ତଦନ୍ତ ପର୍ଯ୍ୟାୟରେ ରହିଛି ଏବଂ ଏକ ଟିମ୍ ମିଳିତ ଭାବେ ତଦନ୍ତ କରିବ। ଡେଥ୍ ଅଡିଟ୍ ପରେ ହିଁ ଏହା ଡେଙ୍ଗୁ ନା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ନିରଞ୍ଜିନ ମିଶ୍ର ସୂଚନା ଦେଇଛନ୍ତି।
ଓଡ଼ିଶାର ସାମଗ୍ରିକ ଡେଙ୍ଗୁ ସ୍ଥିତି ସମ୍ପର୍କରେ ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଗତକାଲି ସୁଦ୍ଧା ୧୮ ହଜାର ୧୨୪ଟି ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୦ଟି ଜିଲ୍ଲାରୁ ୫୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ମୋଟ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୩୩୬ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ସାମଗ୍ରିକ ଭାବେ ପରୀକ୍ଷା ପଜିଟିଭିଟି ଯଥେଷ୍ଟ କମ୍ ରହିଛି। ଗତବର୍ଷ ଏହି ସମୟ ମଧ୍ୟରେ ପ୍ରାୟ ୧୦ ହଜାର ପରୀକ୍ଷା କରାଯାଇଥିବା ବେଳେ ୭୫୫ ପଜିଟିଭ୍ ଚିହ୍ନଟ ହୋଇଥିଲେ।
ଭୁବନେଶ୍ୱର ମହାନଗର ନିଗମ ଏବଂ କଟକ ମହାନଗର ନିଗମ ସହିତ ମିଳିତ ଭାବେ ଆମ ଟିମ୍ ସର୍ଭେଲାନ୍ସ ଏବଂ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ଯ କରୁଛି ବୋଲି ନିରଞ୍ଜିନ ମିଶ୍ର କହିଛନ୍ତି।
Comments are closed.