Latest Odisha News

ମହାନଦୀରେ ଗାଧୋଇବା ବେଳେ ବୁଡି ଯାଇ ଦୁଇ ଛାତ୍ର ନିଖୋଜ

କଟକ: କଟକ ଉପକଣ୍ଠ ନରାଜ ବ୍ୟାରେଜ ନିକଟ ମହାନଦୀରେ ଗାଧୋଉଥିବା ବେଳେ ଗତକାଲି ଅପରାହ୍ନରେ ଦୁଇ ନାବାଳକ ନିଖୋଜ ହୋଇଯାଇଛନ୍ତି। ଦୁହେଁ ଏଠାରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ନ୍ତି। ନିଖୋଜ ଦୁଇ ଛାତ୍ର ଉଭୟ ଷ୍ଟଆର୍ଟ ସ୍କୁଲର ଯୁକ୍ତ ଦୁଇ ଛାତ୍ର  ଦେବପ୍ରିୟ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଖୋଜ ଦୁଇ ଛାତ୍ର ଜଣକ ଛଅ ଜଣ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିଲେ। ସମୁଦାୟ ଆଠ ଜଣ ଛାତ୍ର ସିଦ୍ଧେଶ୍ୱର ପାହାଡ଼ ନିକଟ ନରାଜକୁ ଯାଇଥିଲେ। ଏହି ଦୁଇ ଜଣ ଗାଧୋଇବାକୁ ଓହ୍ଲାଇଥିବା ବେଳେ ଅନ୍ୟ ଛଅ ଜଣ ପାଖ ହୋଟେଲକୁ ଖାଦ୍ୟ ଆଣିବାକୁ ଯାଇଥିଲେ। ତେବେ ନଦୀରେ ପାଣି ଅଧିକ ଥିବାରୁ ଉଭୟ ଗଭୀର ପାଣିରେ ନିୟନ୍ତ୍ରଣ ରଖିପାରିନଥିଲେ ଏବଂ ଖସି ଯାଇଥିଲେ। ନଦୀ କୂଳରେ ଠିଆ ହୋଇଥିବା ଏକ ସ୍କୁଟି ନିକଟରେ ଛାତ୍ରଙ୍କ ବ୍ୟାଗ୍ ଓ ଜୋତା ପଡ଼ିଥିବା ଦେଖିବାକୁ ମିଳିଛି।

ଖବର ପାଇ ବାରଙ୍ଗ ଓଡ୍ରାଫ ପକ୍ଷରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ଖୋଜାଖୋଜି ଜାରି ରଖିଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଦୁଇ ଜଣ ଯୁବକ ଗଭୀର ପାଣି ଭିତରକୁ ଖସି ନିଖୋଜ ହୋଇଯାଇଛନ୍ତି। ଗତକାଲି ସଂଧ୍ୟା ହୋଇଯିବାରୁ ଅପରାହ୍ନ ୪ଟା ଯାଏ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା। ଆଜି ପୁଣିଥରେ ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ରହିଛି।

Comments are closed.