Latest Odisha News

BREAKING NEWS

ଯୁକ୍ତ ଦୁଇ ପରୀକ୍ଷା ଫଳ

 ପଲିଟିକସ ଫଲିଟିକସ 

ଯୁକ୍ତ ଦୁଇ ପରୀକ୍ଷା ଫଳ
ଜ୍ୟୋତି ପ୍ରକାଶ ମହାପାତ୍ର

ଆମ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଏଇ ସପ୍ତାହରେ ପ୍ରକାଶିତ ହୋଇଛି । ଯୁକ୍ତ ଦୁଇ ବିଜ୍ଞାନରେ ଏ ବର୍ଷ ପାସ ହାର ସବୁଠାରୁ କମ ଆସିଛି । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୭୨ ପ୍ରତିଶତ ପିଲା ପାସ କରିଥିବା ବେଳେ ଗଲାବର୍ଷ ଏହା ୭୬ ପ୍ରତିଶତରୁ ଅଧିକ ରହିଥିଲା । ପାସ ହାର କମି ଯାଇଥିବା ବେଳେ ୮ଟି କଲେଜରେ କେହି ଜଣେ ବି ପିଲା ପାସ କରି ନାହାନ୍ତି । ସେମିତି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଠାରୁ ଘରୋଇ ଓ ଆବାସିକ କଲେଜ ଗୁଡ଼ିକ ବେଶ ଭଲ ଫଳାଫଳ କରିଛନ୍ତି।

ଫଳରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରୁ ଯେମିତି ଆସ୍ଥା ତୁଟିଗଲା ପରି ଅବସ୍ଥା ସୃଷ୍ଟି ହୋଇଛି । ଏକଥା ସତ ଯେ, ବିଜେବି, ରମାଦେବୀ, ରେଭେନ୍ସା ଜୁନିଅର କଲେଜକୁ ରାଜ୍ୟର ସବୁଠାରୁ ଅଧିକ ମାର୍କ ରଖିଥିବା ପିଲା ପଢିବାକୁ ଆସନ୍ତି । କଟ୍‍ ଅଫ୍‍ ମାର୍କରେ ଏମାନେ ସବୁଠାରୁ ଆଗରେ ରହନ୍ତି । ରାଜ୍ୟର ଅନ୍ୟାନ୍ୟ ସରକାରୀ କଲେଜକୁ ବି ଭଲ ପିଲା ଯାଆନ୍ତି । ସରକାରଙ୍କଠାରୁ ଅନୁଦାନ ପାଉଥିବା କଲେଜକୁ ମଧ୍ୟ ସେଇ ଅନୁପାତରେ ବହୁତ ଭଲ ପିଲା ବାଛି ଥାଆନ୍ତି ।

ପ୍ରଶ୍ନ ହେଉଛି- ସବୁଠାରୁ ଭଲ ପିଲା ସେସବୁ କଲେଜକୁ ଗଲା ପରେ ପରୀକ୍ଷା ଫଳ ଏମିତି କାହିଁକି ହେଉଛି? ସେସବୁ କଲେଜରେ ସରକାରଙ୍କଠାରୁ ପୂର୍ଣ୍ଣ ଦରମା ପାଉଥିବା ଶିକ୍ଷକ ଅଛନ୍ତି । ଯେଉଁମାନେ ଭରପୁର ଭାବେ ସରକାରୀ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ଅବଶ୍ୟ ବହୁତ କଲେଜରେ ଏଯାକେ ଶିକ୍ଷକ ଓ କର୍ମଚାରୀମାନେ ପୂର୍ଣ୍ଣ ଦରମା ପାଇ ନାହାନ୍ତି । କିନ୍ତୁ ସେଇ କଲେଜ ତ ଆଉ ପିଲାଙ୍କ ପସନ୍ଦିଆ କଲେଜ ତାଲିକାରେ ଆସେ ନାହିଁ । ବରଂ ପୁରୁଣା ଓ ନାମୀଦାମୀ କଲେଜ ସବୁ ସମୟରେ ପିଲାଙ୍କ ପସନ୍ଦ । ସେ ନାମୀଦାମୀ କଲେଜର ପରୀକ୍ଷାଫଳ କଣ ପାଇଁ ଏମିତି ଏତେ ଖରାପ ହେଉଛି?

ପରୀକ୍ଷା ଫଳ ଯେଉଁଦିନ ପ୍ରକାଶ ପାଇଲା, ସେଦିନ ବିଭାଗୀୟ ମନ୍ତ୍ରୀ ଘୋଷଣା କଲେ ଯେ, ଅମାନିଆ ଶିକ୍ଷକଙ୍କୁ ଛଡ଼ାଯିବ ନାହିଁ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ, କେବେ ନିଆଯିବ- ସେ ବିଷୟରେ ମନ୍ତ୍ରୀ କିଛି କହିଲେ ନାହିଁ । ପ୍ରତିବର୍ଷ ପରୀକ୍ଷାଫଳ ପ୍ରକାଶନ ସମୟରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଏମିତି କଥା କହୁଛନ୍ତି । କାହାରିକୁ ଛଡ଼ାଯିବ ନାହିଁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଉଛନ୍ତି । କିନ୍ତୁ ତାହା କୌଣସି ଗୋଟିଏ ବି ବର୍ଷ କାର୍ଯ୍ୟକାରୀ ହେଉନାହିଁ । ଦୋଷୀ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସତେ ଯେମିତି ବିଭାଗ ଡରୁଛି !

ଏଥର ବାରିପଦା ଖାତାଦେଖା କେନ୍ଦ୍ରରେ ବିଜୁଳି ନଥିବା ବେଳେ ଅଧ୍ୟାପକମାନେ ମୋବାଇଲ ଆଲୁଅରେ ଖାତା ଦେଖିଲେ । ଏହାର ଭିଡ଼ିଓ ବାହାରେ ଆସି ବୁଲିଲା । ଖାତାଦେଖା କେନ୍ଦ୍ରକୁ ମୋବାଇଲ ନେବା ସଂପୂର୍ଣ୍ଣ ଭାବେ ମନା । କିନ୍ତୁ ବାରିପଦା କେନ୍ଦ୍ରକୁ ମୋବାଇଲ ଗଲା କେମିତି? ସେଠି ଯେଉଁ ବରିଷ୍ଠ ଅଧ୍ୟାପକମାନେ ଖାତାଦେଖା କେନ୍ଦ୍ର ଦାୟିତ୍ୱରେ ଥିଲେ, ସେମାନେ ସେତେବେଳେ କଣ କରୁଥିଲେ? ଏମିତି ମାଳମାଳ ପ୍ରଶ୍ନ ଝୁଲୁଛି । ଅସଲ କଥା ହେଉଛି- ଲୋକଙ୍କ ଅସନ୍ତୋଷକୁ ଚାପିବା ପାଇଁ ସେହି ସମୟରେ କାର୍ଯ୍ୟାନୁଷ୍ଠାନ କଥା ବିଭାଗ ପକ୍ଷରୁ କୁହାଗଲା । ମାତ୍ର ମାସେ ଗଲା ପରେ ତଦନ୍ତ ହୋଇଛି କି ନାହିଁ, ତାହା ବି ଜଣାନାହିଁ । କେବଳ ବାରିପଦା ନୁହେଁ- ରାଜ୍ୟର ଅନେକ ସ୍ଥାନରେ ପରୀକ୍ଷା ଖାତାଦେଖା କେନ୍ଦ୍ରକୁ ଅଧ୍ୟାପକମାନେ ମୋବାଇଲ ନେଇ ଯାଉଛନ୍ତି । ସମସ୍ତେ ଜାଣିଥିଲେ ମଧ୍ୟ ଚୁପ ରହୁଛନ୍ତି ।

ସେମିତି ଯୁକ୍ତ ଦୁଇ ପୃଥକୀକରଣ କଥା ଢେର ବର୍ଷ ହେଲା ସରକାର କହି ଆସୁଛନ୍ତି । ଏମିତି ଭାଗବଣ୍ଟା, ଅଲଗା ହେବା ଏତେ ଦିନ ଧରି ଲାଗି ନଥିଲା କେବେ ବି ବୋଧେ କୌଣସି ଇତିହାସରେ। ଯୁକ୍ତ ଦୁଇ ପରୀକ୍ଷାଫଳ ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିବେ । ଗଣଶିକ୍ଷା ବିଭାଗ ଅଧିନରେ ଏହା ଅଛି ବୋଲି ସରକାର କହୁଛନ୍ତି । କିନ୍ତୁ ଯୁକ୍ତ ଦୁଇ ପାଇଁ ନାମଲେଖା ବିଜ୍ଞାପନ ଉଚ୍ଚଶିକ୍ଷା ବିଭାଗ ପ୍ରକାଶ କରୁଛି । ଇଏ ଏକ ଆଶ୍ଚର୍ଯ୍ୟ କଥା ନୁହେଁ କି?

ରାଜ୍ୟରେ ପୁଣି ଏତେ ସଂଖ୍ୟକ ଘରୋଇ, ଆବାସିକ କଲେଜ କୋଉଠୁ ଆସୁଛି? ତାହା ପାଇଁ ଅନୁମତି କିଏ ଦେଉଛି? କଣ ପାଇଁ ଦେଉଛି? ରାଜ୍ୟରେ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ସିଟ ଫାଙ୍କା ପଡ଼ୁଥିବା ବେଳେ ଆବାସିକ ଓ ଘରୋଇ କଲେଜ ଖୋଲିବା ପରି ଉଦ୍ଭଟ ଚିନ୍ତାକୁ କଣ ପାଇଁ ସରକାର ବର୍ଷ ବର୍ଷ ଧରି ପ୍ରୋତ୍ସାହନ ଦେଇ ଆସିଛନ୍ତି? ଲକ୍ଷ ଲକ୍ଷ ଟଙ୍କା ନେଇ ପିଲାଙ୍କୁ ପଢାଉ ଥିବା ଆବାସିକ କଲେଜ ପରି ଅଭିନବ ଯୋଜନାକୁ କଣ ପାଇଁ ବନ୍ଦ କରାଯାଉ ନାହିଁ? କାହିଁକି ଶିକ୍ଷାର ଏମିତି ବ୍ୟବସାୟୀକରଣ ଚାଲିଛି? କାହା ସ୍ୱାର୍ଥରେ ଏସବୁ ଚାଲିଛି?

ସେମିତି- ବଢିଆ ଦରମା ଓ ସୁବିଧା ସୁଯୋଗ ପାଉଥିବା ଅଧ୍ୟାପକଙ୍କ କଲେଜରେ ଯେତେବେଳେ ପରୀକ୍ଷାଫଳ ନିରାଶାଜନକ ହେଉଛି- ସେତେବେଳେ ସେ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଉତ୍ତରଦାୟୀ କାହିଁକି କରାଯାଉ ନାହିଁ? ପିଲା ଫେଲ ହେଲେ କଣ କେହି ଉତ୍ତରଦାୟୀ ନୁହଁନ୍ତି ? ବରଂ- ସିସିଟିଭି ଉତ୍ତରଦାୟୀ । ଆଶ୍ଚର୍ଯ୍ୟ ଯୁକ୍ତି ଏଇଟି- ଯେଉଁମାନେ ସିସିଟିଭି ଉପରେ ଦୋଷ ଲଦୁଛନ୍ତି । ସେମିତି ଅଧ୍ୟାପକମାନଙ୍କର ନିୟମିତ ତାଲିମ ନାହିଁ । ରିଫ୍ରେସର କୋର୍ସ ନାହିଁ । ସେମାନଙ୍କର ମୂଲ୍ୟାୟନ ନାହିଁ । କେତେ ପଢେଇଲେ, କେତେ ସନ୍ଦର୍ଭ ଲେଖିଲେ- ତାହା ଉପରେ କେହି ଦୃଷ୍ଟି ଦେଉ ନାହାନ୍ତି । ମୋଟ ଉପରେ- କାହାରିକୁ କେହି କିଛି କହିବାକୁ ନାହିଁ । ତନଖି ଓ ଯାଞ୍ଚ ବ୍ୟବସ୍ଥା ନାହିଁ । ଜିଲ୍ଲାସ୍ତରରେ ଯାଞ୍ଚ ପାଇଁ ନିଯୁକ୍ତ ହୋଇଥିବା ଜିଲ୍ଲାସ୍ତରୀୟ ଶୈକ୍ଷିକ ପରାମର୍ଶଦାତାମାନେ ଖାଲି ଏବେ ନାଁକୁ ଅଛନ୍ତି । ବ୍ୟବସ୍ଥାରେ ସୁଧାର ପାଇଁ କିଛି କରୁ ନାହାନ୍ତି । ତାଙ୍କୁ କାମ କରିବା ପାଇଁ ସୁଯୋଗ ବି ଦିଆଯାଉ ନାହିଁ । ଫଳରେ ଯାହା ହେବା କଥା ହେଉଛି ।

କିନ୍ତୁ- ଯେତେବେଳେ ଡିଜିଟାଲ ବିସ୍ଫୋରଣରେ ସାରା ବିଶ୍ୱ ଉବୁଟୁବୁ ଏବଂ ଲୋକେ ହାତମୁଠାରେ ସବୁ ସୁବିଧା ପାଉଛନ୍ତି- ସେତେବେଳେ ପ୍ରଚଳିତ ଧାରା ନିହାତି ବଦଳିବା ଦରକାର । କୋଉ କାଳରେ କଣ ହେଉଥିଲା- ତାହା ତ ଆଉ ଚଳିବ ନାର୍ହି । ସେମିତି- ଯେତେବେଳେ ପିଲା ହିସାବରେ ଶିକ୍ଷକ ନିଯୁକ୍ତି ଦିଆଯାଉଛି, ସେତେବେଳେ ସେମିତି ପାସ୍‍ ଫେଲ୍‍ କଥା ବି ଦେଖାଯାଉ । ଆଉ ଏ ଘରୋଇ ଆବାସିକ ବିଦ୍ୟାଳୟ ପରି ଭୟାନକ ବ୍ୟବସ୍ଥା ତୁରନ୍ତ ବନ୍ଦ କରାଯାଉ । ଯେତେ ଶୀଘ୍ର ହେବ, ସେତେ ଭଲ ।

jajpuria@gmail.com

Leave A Reply

Your email address will not be published.