Latest Odisha News

BREAKING NEWS

୧୨ ରୁ ଅଧିକ ସ୍ଥାନରେ ଚଢାଉ…ଗିରଫ ହେଲା ISIS ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଜଣେ ISIS ଆତଙ୍କବାଦୀଙ୍କୁ ଗିରଫ କରିଛି । ଯାହା ପରେ ଦେଶର ୧୨ ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଛି। ସାରା ଦେଶରୁ ୮ ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ମୁଖ୍ୟ ଅଭିଯୁକ୍ତ ଅଫତାବ ମୁମ୍ବାଇର ବାସିନ୍ଦା। ଏଥିସହ ରାଞ୍ଚିରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଅଶହର ଦାନିଶକୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ, ଝାଡ଼ଖଣ୍ଡ ATS ଏବଂ ରାଞ୍ଚି ପୋଲିସର ମିଳିତ ଅପରେସନରେ ଏହି ଗିରଫଦାରୀ କରାଯାଇଛି।

ସୂଚନାଥାଉକି, ବର୍ତ୍ତମାନ ସମସ୍ତ ଗିରଫ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି।

ଦେଶର ବିଭିନ୍ନ ରାଜ୍ୟରେ ସ୍ପେଶାଲ୍ ସେଲ୍ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ୧୨ ରୁ ଅଧିକ ସ୍ଥାନରେ ଚଢାଉ କରିଛନ୍ତି। ଏହି ଚଢାଉରେ ଦଳ ବିଭିନ୍ନ ସ୍ଥାନରୁ ମୋଟ ୮ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଅଟକ ରଖିଛି। ଦିଲ୍ଲୀ ସ୍ପେଶାଲ୍ ସେଲ୍ କହିଛି ଯେ ଏହି ମାମଲାରେ ତଦନ୍ତ ଏବଂ ପଚରାଉଚରା ଜାରି ରହିଛି।

ଖବରମୁତାବକ, ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଏକ ଲଜ୍‌ରୁ ଜଣେ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ, ଝାଡ଼ଖଣ୍ଡ ATS ଏବଂ ରାଞ୍ଚି ପୋଲିସ ସହିତ ମିଶି ରାଞ୍ଚିରେ ଚଢାଉ କରିଥିଲା।ରାଞ୍ଚିର ଲୋୟର ବଜାର ପୋଲିସ ଷ୍ଟେସନ ଅଞ୍ଚଳର ଇସଲାମ ନଗରରୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତି ISIS ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କରେ ଥିବା ପ୍ରମାଣ ମିଳିଛି। ଚଢାଉ ସମୟରେ ଅନେକ ଆପତ୍ତିଜନକ ସାମଗ୍ରୀ ଏବଂ କାଗଜପତ୍ର ଜବତ ହୋଇଥିବା ମଧ୍ୟ ଜଣାପଡିଛି।

ରାଞ୍ଚିରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀର ନାମ ଅଶହର ଦାନିଶ, ଯିଏ ବୋକାରୋ ଜିଲ୍ଲାର ପେଟୱାରର ବାସିନ୍ଦା ବୋଲି ସୂଚନା ରହିଛି। ଦିଲ୍ଲୀରେ ପଞ୍ଜିକୃତ ଏକ ମାମଲା ଆଧାରରେ ଗିରଫ କରାଯାଇଛି।

ଆଗାମୀ ଦିନରେ ଏହି ମାମଲାରେ ଅନେକ ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି। ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳରେ ଯାଞ୍ଚ କରୁଛି। ଏଥିସହ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଆଉ କେହି ଥିଲେ କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି।

 

 

Comments are closed.