Latest Odisha News

BREAKING NEWS

ପାଟଣାଗଡ଼ ପାର୍ସଲ ବୋମା ଟ୍ରାଜେଡିକୁ ୨ ବର୍ଷ; ଜାଣନ୍ତୁ କ’ଣ ଥିଲା ଘଟଣାକ୍ରମ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ପୁରିଲା ୨ ବର୍ଷ । ୨୦୧୮ ମସିହା ଠିକ ଆଜିଏ ଦିନରେ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ନବବିବାହିତ ସୌମ୍ୟ ଶେଖର ଓ ଗୁରୁତର ଆହତ ହୋଇଥିଲେ ତାଙ୍କ ପତ୍ନୀ ରୀମା ରାଣୀ ।

କିପରି ଥିଲା ସେଦିନର ଛାତିଥରା ଦୃଶ୍ୟ ଆସନ୍ତୁ ଜାଣିବା..

ଦୁଇବର୍ଷ ତଳେ ଅର୍ଥାତ୍‌ ୨୦୧୮ ମସିହା ଫେବ୍ରୁଆରି ୨୩ରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଘଟିଥିଲା ଭୟଙ୍କର ପାର୍ସଲ ବୋମା ବିସ୍ଫୋରଣ ଘଟଣା । ବାହାଘର ପରେ ପାଟଣାଗଡ଼ରେ ରହୁଥିବା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ନବବିବାହିତ ପୁଅ ସୌମ୍ୟଶେଖର ସାହୁ ତାଙ୍କ ପତ୍ନୀ ରିମାରାଣୀ ଓ ସୌମ୍ୟଙ୍କ ଜେଜେମା ଜେମାମଣି ବାହାଘର ଉପହାର ଖୋଲୁଥିବା ବେଳେ ଘଟିଥିଲା ଏହି ଅଘଟଣ । ବାହାଘର ଉପହାର ମଧ୍ୟରେ ଆସିଥିଲା ମୃତ୍ୟ ।

ଉପହାରରେ ଆସିଥିବା ଏକ ପାର୍ସଲ ବୋମା ଖୋଲିବା କ୍ଷଣି ଏହା ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା ପ୍ରାଣ ହରାଇଥିବା ବେଳେ ନବବଧୂ ରୀମାରାଣୀ ଗୁରୁତର ଆହତ ହୋଇଥିଲେ।

କିପରି ଥିଲା ପୋଲିସର ତଦନ୍ତ:

ଏହି ଘଟଣାରେ ପୁଲିସ ଏକ ମାସରୁ ଅଧିକ ସମୟ ତଦନ୍ତ ପରେ ବି ଅପରାଧୀ ପାଖକୁ ପହଞ୍ଚି ପାରିନଥିଲା। ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ହାତକୁ ନେଇଥିଲା।

ମାର୍ଚ୍ଚ ୨୨ ତାରିଖରୁ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। କ୍ରାଇମବ୍ରାଞ୍ଚ ଏକ ମାସ ତଦନ୍ତ କରିବା ପରେ ମାମଲାରେ ୪ ଜଣଙ୍କୁ ଅଟକ ରଖିଥିଲା।

ମାର୍ଚ୍ଚ ୨୫ ତାରିଖରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ମାଷ୍ଟରମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଫାଇନାଲ ଚାର୍ଜସିଟ ଦାଖଲ କରିସାରିଛି। ପୁଞ୍ଜିଲାଲ ବର୍ତ୍ତମାନ ଜେଲରେ ରହିଛି ।

ସାରାଦେଶରେ ଏହି ଘଟଣା ଚର୍ଚ୍ଚାର ବିଷୟ ସାଜିଲା । ଏହାକୁ ନେଇ ଉଭୟ ବଲିଉଡ଼ ଓ ଓଲିଉଡରେ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଛି।

ଦେଖୁଦେଖୁ ଘଟଣାକୁ ଦୁଇବର୍ଷ ପୂରିଛି। ଏହି ଘଟଣାରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ରିମା ରାଣୀ ଏବେ ସୁସ୍ଥ ହୋଇ ଶାଶୁଘର ଫେରିଛନ୍ତି । ସ୍ୱାମୀଙ୍କ ମୃତ୍ୟୁକୁ ଛାତି ଭିତରେ ସାଇତି ରଖି ସେସୁ ଶଶୁରଙ୍କ ସହ ତାଙ୍କ ଝିଅ ହୋଇ ରହିଛନ୍ତି ।

ହେଲେ ଏବେ ବି ନ୍ୟାୟ ଅପେକ୍ଷାରେ ମୃତ ସୌମ୍ୟଶେଖରଙ୍କ ପରିବାର। ମୃତ ସୌମ୍ୟଶେଖରଙ୍କ ପରିବାର ନ୍ୟାୟ ଅପେକ୍ଷାରେ ରହିଛନ୍ତି। ମୃତ ସୌମ୍ୟଶେଖରଙ୍କ ବାପା ରବୀନ୍ଦ୍ର ସାହୁ କହିବା ଅନୁଯାୟୀ, ଏହି ଘଟଣାକୁ ୨ ବର୍ଷ ପୁରି ଯାଇଥିଲେ ସୁଦ୍ଧା ଦୋଷୀଙ୍କୁ ଏଯାଏଁ ଉଚିତ ଦଣ୍ଡ ମିଳିନାହିଁ । ଦୁଇ ବର୍ଷ ହେଲା ଚାର୍ଜ ଫ୍ରେମ ହୋଇନାହିଁ । ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ମିଳିଲେ ମୃତ ପୁଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି ।

Comments are closed.