ହାଇଦ୍ରାବାଦ: ରବିବାର ସକାଳେ ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୯ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ତନ୍ଦୁର ଡିପୋର ଏକ RTC ବସ୍ ଗୋଡି ବୋଝେଇ ଟିପ୍ପର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଦୁର୍ଘଟଣାଟି ସକାଳ ପ୍ରାୟ ୫ଟା ସମୟରେ ଘଟିଥିଲା।
ପୋଲିସ ସୂଚନା ଅନୁଯାୟୀ, ଟିପ୍ପରଟି ଭୁଲ ଦିଗରୁ ଆସୁଥିଲା ଏବଂ ବସ୍ ସହ ଧକ୍କା ହୋଇଥିଲା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗୋଡି ଗଦାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଅନେକଙ୍କୁ ଛାଡି ଦିଆଯାଇଛି। ଅନେକ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳରେ ଘଟିଥିବା ସଡ଼କ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ ରିଲିଫ୍ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉକି, ଆରଟିସି ବସ୍ ଟି ତନ୍ଦୁରରୁ ହାଇଦ୍ରାବାଦ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ ବସ୍ରେ ୭୦ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଏବଂ କର୍ମଚାରୀ ଥିଲେ। ସେମାନେ ହାଇଦ୍ରାବାଦର ବିଭିନ୍ନ କଲେଜରେ ପାଠପଢ଼ୁଥିବା ଜଣାପଡ଼ିଛି। ରବିବାର ଛୁଟି ଥିବାରୁ ସେମାନେ ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା।
Comments are closed.