Latest Odisha News

ମୁହଁରେ ବଢୁଛି ମାଂସ ପିଣ୍ଡୁଳା କେମିତି ପୋଷିବି ପରିବାର ?

ନବରଙ୍ଗପୁର : ଯୁବତୀଙ୍କ ମୁହଁରେ ବଢୁଛି ମାଂସ ପିଣ୍ଡୁଳା । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଦୂତିକା ଯାନୀ । ପରିବାର ବୋଝ ଉଠାଉଥିବା ବେଳେ ଆଜି ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି ଦୂତିକା । ରାଜ୍ୟ ବାହାରକୁ ପେଟପୋଷିବାକୁ ଯାଇଥିବାବେଳେ ଏଭଳି ରୋଗର ହୋଇଛନ୍ତି ଶିକାର । ତେବେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତର କଣ୍ଟାସାରୁ ଗାଁରେ ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ।

ବିଧବା ମହିଳା ଜେମା ଯାନୀଙ୍କ ୨୦ ବର୍ଷ ବଡ଼ ଝିଅ ଦୂତିକା ଯାନୀ , କିଛି ମାସ ତଳେ ଦାଦନ ଖଟିବାକୁ କେରଳ ରାଜ୍ୟର ତିରପୁର ଅଞ୍ଚଳକୁ ଯାଇଥିଲେ ସେଠାରେ ଦୁତିକାଙ୍କ ଗାଲ ଫୁଲି ଯନ୍ତ୍ରଣା ହୋଇଥିଲା  । ତେଣୁ ସେ ଘରକୁ ଫେରି ଆସିଥିଲେ। ପ୍ରଥମେ ଘର ଲୋକ ଦୁତିକାଙ୍କ ଗାଲ ଫୁଲିବା ଦେଖି ଗାଲୁଆ ହୋଇଥିବ ବୋଲି ଭାବିନେଇଥିଲେ, କିନ୍ତୁ ଏହା କମିବା ପରିବର୍ତେ ଦିନକୁ ଦିନ ବଢ଼ିବାରେ ଲାଗିଲା। ଶେଷରେ ପରିବାର ଲୋକେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଦୂତିକାଙ୍କୁ କଟକ କିମ୍ବା ବିଶାଖାପାଟଣା ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଦୂତିକାଙ୍କ ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ଏତେ ଟଙ୍କା ନାହିଁ ।

ଦୂତିକାଙ୍କ ପରିବାର କହିଲେ ବିଧବା ମା, ଦୁଇ ସାନ ଭଉଣୀ ଓ ଗୋଟିଏ ଭାଇ।ଏହି ପାଞ୍ଚ ପ୍ରାଣୀଙ୍କ ପେଟ ପୋଷିବା ପାଇଁ ବିଧବା ମା ପର ଘରେ କୁଲିମୁଜୁରୀ କରି ଚଳୁଛନ୍ତି । ବିଧବା ମା ଏକା ବୋହିଥିବା ପରିବାରର ବୋଝକୁ ଟିକିଏ ହାଲୁକା କରିବା ପାଇଁ ଘରର ବଡ଼ଝିଅ ଦୂତିକା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲା। କିନ୍ତୁ ଦଇବ ଦାଉ ସାଧିଲା, ରୋଜଗାର କରି ପରିବାରର ଦାଇତ୍ୱ ନେବାପାଇଁ ମନସ୍ଥ କରିଥିବା ବଡ଼ଝିଅ ଏବେ ଶଯ୍ୟାଶାୟୀ। ଦୁତିକାର ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଦୂତିକାଙ୍କ ପରିବାର।

 

 

Comments are closed.