Latest Odisha News

BREAKING NEWS

୨୦୧୧ ବିଶ୍ୱକପ ହିରୋ ଯୁବରାଜ ସିଂହଙ୍କ କ୍ରିକେଟରୁ ଅବସର ଘୋଷଣା

ମୁମ୍ବାଇ: ୨୦୧୯ ଆଇସିସି ବିଶ୍ୱକପ କ୍ରିକେଟ ପ୍ରତିଯୋଗିତାରେ ରବିବାର ଦିନ ଦୁର୍ଦ୍ଦଶ ଭାରତୀୟ ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଟିମକୁ ପରାସ୍ତ କରିଥିବା ବେଳେ ସୋମବାର ଦିନ ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂହ ଆନ୍ତର୍ଜାତୀୟ କ୍ରିକେଟରୁ ସବୁଦିନ ଲାଗି ଅବ୍ୟାହତି ଘୋଷଣା କରିଛନ୍ତି ।

ଏହି ୩୭ ବର୍ଷୀୟ କ୍ରିକେଟର୍ ଭାରତ ପକ୍ଷରୁ ୪୦ଟି ଟେଷ୍ଟ ମ୍ୟାଚ ସହିତ ୩୦୪ଟି ଦିନିକିଆ ଏବଂ ୫୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ସେ ୨୦୦୩ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ଖେଳାଳି ଭାବେ ବିଭିନ୍ନ ଅନ୍ତର୍ଜାତୀୟ ମ୍ୟାଚ ଓ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ୱ କରିଛନ୍ତି ।

ୟୁଭି ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ବିଭାଗର ଜଣେ ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚରେ ସେ କ୍ରିସ ବ୍ରଡ଼ଙ୍କ ଏକ ଓଭରରେ ୬ଟି ବଲରେ ୬ଟି ଛକା ମାରି ବିଶ୍ୱରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି । ସେହି ମ୍ୟାଚରେ ସେ ୧୨ଟି ବଲରୁ ଦ୍ରୁତତମ ୫୦ ରନ ସଂଗ୍ରହ କରି ଏକ ନୂଆ କିର୍ତ୍ତୀମାନ ପ୍ରତିଷ୍ଠା କରିପାରିଛନ୍ତି ।

ସେହିପରି ଯୁବରାଜ ୨୦୧୧ କ୍ରିକେଟ ବିଶ୍ୱକପରେ ପାଲଟିଥିଲେ ହିରୋ । ସେ ସର୍ବାଧିକ ୩୬୨ ରନ କରିବା ସହିତ ୧୫ଟି ୱିକେଟ ଅକ୍ତିଆର କରି ବିଶ୍ୱକପର ‘ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ’ ଘୋଷିତ ହୋଇଥିଲେ । ଯୁବରାଜ ସିଂହଙ୍କର ଉନ୍ନତ ଖେଳ ପ୍ରଦର୍ଶନ ଯୋଗୁଁ ହିଁ ଧୋନୀଙ୍କ ଭାରତୀୟ ଟିମ୍ ବିଶ୍ୱକପ ବିଜୟୀ ହୋଇପାରିଥିଲା ।

ଯୁବରାଜ ସିଂହ ଦିନିକିଆ ଓ ଟି-୨୦ ପରି ଟେଷ୍ଟମ୍ୟାଚରେ ମଧ୍ୟ ଉନ୍ନତ ଖେଳ ପ୍ରଦର୍ଶନ କରିପାରିଛନ୍ତି । ସେ ଭାରତ ଲାଗି ୪୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

କ୍ୟାନସର ପରି ଦୁରାରୋଗ୍ୟରେ ପୀଡ଼ିତ ଥିବା ଯୁବି ୨୦୧୨ରେ ଚିକିତ୍ସିତ ହୋଇ ପୁନର୍ବାର କ୍ରିକେଟ ପଡ଼ିଆକୁ ଓହ୍ଲାଇଥିଲେ । ସେହି ସମୟରେ ତାଙ୍କ ପ୍ରଥମ ଟି-୨୦ ପ୍ରତ୍ୟାବର୍ତ୍ତନ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୩୫ଟି ବଲରୁ ୭୭ ରନ କରି ତାଙ୍କ ଫ୍ୟାନମାନଙ୍କ ହୃଦୟ ଜୟ କରିପାରିଥିଲେ ।

ଏହି ମହାନ କ୍ରିକେଟରଙ୍କୁ ୧୪ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର ଆଇପିଏଲ ଟିମ କ୍ରୟ କରିଥିବା ବେଳେ ୧୬ କୋଟି ଟଙ୍କାରେ ଦିଲ୍ଲୀ ଦଳ କ୍ରୟ କରିବା ପରେ ସେ ଆଇପିଏଲର ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ ।

Leave A Reply

Your email address will not be published.