ଚୋରା ପକେଟ

 କଥାଟିଏ କହୁଁ 

ଚୋରା ପକେଟ

ପରଂବ୍ରହ୍ମ ତ୍ରିପାଠୀ

ଯେ ଯାଏଁ ସଞ୍ଚୟ କରିବା ଶିଖିନ, ମାସକୁ ଦଶ ଲକ୍ଷ ରୋଜଗାର କଲେ ବି ସିଏ କେଉଁ କାମକୁ ନୁହେଁ। ଗୋଟିଏ ଟଙ୍କା ସଞ୍ଚୟ ଗୋଟିଏ ଟଙ୍କା ଅଧିକ ରୋଜଗାର ଠାରୁ ଅଧିକ ମୂଲ୍ୟବାନ ଓ ମହତ୍ୱପୂର୍ଣ୍ଣ। କଥାଟି ମୋର ନୁହେଁ, ବରଂ କୃପାସିନ୍ଧୁ ମଉସାଙ୍କର। ମଉସା ହେଉଛନ୍ତି ମୋ କଲେଜ ସିନିୟର ଅଭିଜିତ ଭାଇଙ୍କ ବାପା।

ଅଭିଜିତ ଭାଇ ବୟସରେ ବର୍ଷେ ବଡ଼ ହେଲେବି ସମ୍ପର୍କ ଭଲ ସାଙ୍ଗ ଭଳି। ଗୋଟିଏ ଜାଗାରୁ ପାଠ ପଢ଼ା, ଗୋଟିଏ ସହରରେ ଚାକିରୀ, ଅଭିଜିତ ଭାଇ ଓ ମୋ ସମ୍ପର୍କକୁ ଆହୁରି ନିବିଡ଼ କରି ଦେଇଥିଲା। ଅଭିଜିତ ଭାଇ କେବଳ ମୋ ସହ ନୁହେଁ, ମୋ ଶ୍ରେଣୀର ଆହୁରି ଚାରି ପାଞ୍ଚ ଜଣ ଯେମିତି କି ସୁଜିତ, ଭୁବନେଶ, ଯେଉଁମାନେ ଦିଲ୍ଲୀରେ ରହୁଥିଲେ ସେମାନଙ୍କ ସହ ବି ଅନ୍ତରଙ୍ଗ। ଅନ୍ତରଙ୍ଗତା ପଛର ଉତପ୍ରେରକଟି ହେଉଛି ଭାଇଙ୍କ ହାତ ଖୋଲା ଅତିଥିସତ୍କାର।

ପ୍ରତି ଶନିବାର ଓ ରବିବାର ଭାଇଙ୍କ ସାଉଥ ଏକସଟେନସନର ଭଡା ଫ୍ଲାଟରେ ଜମିବ ଆସର। ଏକା ରହୁଥିଲେ ବି ଭାଇ ନେଇଥିଲେ ଦୁଇ ବେଡ଼ ରୁମ ବିଶିଷ୍ଟ ଫ୍ଲାଟ। ଶୁକ୍ରବାର ନିଜ ନିଜ ଅଫିସ ସାରି ଆମେ ପାଞ୍ଚ ଛଅ ଜଣ ପହଁଚିବୁ ତାଙ୍କ ଘରେ। ଆମକୁ ସ୍ୱାଗତ ଜଣେଇବା ପାଇଁ ଫ୍ରିଜରେ ଅପେକ୍ଷା କରିଥିବେ ଚୁଙ୍ଗୁଡ଼ି, ମାଛ, ଚିକେନ, ମଟନ ଠାରୁ ନେଇ କିସମ କିସମର ଖାଦ୍ୟପେୟ। ତା ସହିତ ଦୁଇ ଚାରୋଟି କ୍ଲାସିକ ଚଳଚ୍ଚିତ୍ରର ଡିଭିଡି ମଧ୍ୟ ଭାଇ କିଣି ରଖିଥିବେ। ଖାଇବା ପିଇବା, ତା ସାଙ୍ଗକୁ ଚଳଚ୍ଚିତ୍ର, ୟା ଭିତରେ ସେ ଦୁଇ ଦିନ କେମିତି ପଳାଏ ଜାଣି ହୁଏନି। ସୋମବାରଠାରୁ ଆମେ ପୁଣି ଦିନ ଗଣୁ ଶୁକ୍ରବାରର। ଆସରର ମଜା ବଢିଯାଏ ଶୀତ ଦିନରେ । ସେମିତି ତ ଦିଲ୍ଲୀର ଶୀତ ଭାରି ରୋମାଣ୍ଟିକ, ତା ସାଙ୍ଗକୁ ବାଲକୋନୀରେ ଭାଇଙ୍କ ହାତ ତିଆରି କିସମ କିସମର ତନ୍ଦୁର ବ୍ୟଞ୍ଜନ। ସେ ସମୟ ସତରେ ଥିଲା ମହୋତ୍ସବମୟ।

ଏ ବର୍ଣ୍ଣନାରୁ ଯଦି ଆପଣ ଭାବୁଥିବେ ଅଭିଜିତ ଭାଇ ବହୁତ ଗୁଡ଼େ ଅଧିକ ଦରମା ପାଉଥିଲେ ବା କୌଣସି ଜମିଦାର ଘରୁ ଆସିଥିଲେ, ତାହାଲେ ସେଇଟା ନିହାତି ଭୁଲ ଧାରଣା। ଭାଇ ଆମଠାରୁ କିଛି ଅଧିକ ଦରମା ପାଉଥିଲେ ଓ ଆମ ଭଳି ଏକ ନିମ୍ନ ମଧ୍ୟବିତ୍ତ ଚାକିରିଆ ପରିବାରରୁ ହିଁ ଆସିଥିଲେ। ହେଲେ ହାତଟି ତାଙ୍କର ଥିଲା ଖୋଲା। ତାଙ୍କୁ ଲୋକଙ୍କୁ ଖୁଏଇବାକୁ ପିଆଇବାକୁ, ସଙ୍ଗମେଳରେ ରହିବାକୁ ଭଲ ଲାଗୁଥିଲା। ସେଇଥିପାଇଁ ତ ପୁରା ମାସର ଦରମା ତାଙ୍କର ପ୍ରଥମ କୋଡିଏ ଦିନରେ ହିଁ ଅଦୃଶ୍ୟ ହେଇ ଯାଉଥିଲା।

ବାକି ଦଶ ଦିନ?

ବଢିଆ ପ୍ରଶ୍ନଟେ? ସୁଜିତ ଓ ମୁଁ ବୁଝି ପାରୁ ଯେ ଭାଇଙ୍କ ପାଖରେ ପଇସା ସରିଯିବଣି। ପ୍ରଥମେ ପ୍ରଥମେ, ଆମେ ଭାଇଙ୍କୁ କହୁଥିଲୁ ଯେ ଭାଇ ଏଥର ଆମ ପାଳି, ଆମେ ଜିନିଷପତ୍ର ସାଙ୍ଗରେ ନେଇକି ଯିବୁ। ଭାଇ ସେ କଥା ପଦରେ ଏମିତି ରାଗିଥିଲେ ଯେ ମୁଁ ଆଉ ସେ ବିଷୟରେ ତାଙ୍କୁ କେବେ ପଚାରିନି। ହେଲେ ସୁଜିତ ନଛୋଡବନ୍ଧା। ଭାଇଙ୍କ ଆକାଉଣ୍ଟ ନମ୍ବର ତା ପାଖରେ ଥାଏ କାରଣ ସେ ଭାଇଙ୍କ ଠାରୁ କିଛି ପଇସା ଧାର ନେଇଥିଲା। ଗୋଟେ ଥର, ମାସର କୋଡିଏ ତାରିଖ ବେଳକୁ ସୁଜିତ ଭାଇଙ୍କ ଆକାଉଣ୍ଟରେ ପାଞ୍ଚ ହଜାର ଟଙ୍କା ଡିପୋଜିଟ କରିଦେଲା। ଶୁକ୍ରବାର ଦିନ ଭାଇ ରାଗିଲେ, କିନ୍ତୁ ଆମେ ଦୁହେଁ ତାକୁ ଅଣଦେଖା କଲୁ। ଭାଇଙ୍କ ଦରମା ମିଳେ ଅଣତିରିଶ ତାରିଖ ଦିନ। ଆଉ ସେହି ଦିନ ସୁଜିତ ପାଖକୁ ମେସେଜ ଆସିଲା ଯେ ତା ଆକାଉଣ୍ଟରେ ପାଞ୍ଚ ହଜାର ପାଞ୍ଚଶ ଟଙ୍କା ଜମା ହେଇଛି ବୋଲି। ସୁଜିତ ଯେତେବେଳେ ଭାଇଙ୍କୁ ପଚାରିଲା, ଭାଇ ହସିକି କହିଲେ ଯାହାଠୁ ଆଣିଥାନ୍ତି ତାକୁ ତ ଦେଇଥାନ୍ତି, ତତେ କାହିଁକି ଦେବିନି। ମୋଟାମୋଟି ଭାଇ ଥିଲେ ଏମିତି, ଦରକାର ପଡିଲେ ସୁଧରେ ପଇସା ଆଣି ବନ୍ଧୁ ଚର୍ଚ୍ଚା କରିବା ଲୋକ।

ଅର୍ଥନୈତିକ ଦୃଷ୍ଟିକୋଣରୁ ମଉସା ମାଉସୀ ଭାଇଙ୍କ ଉପରେ ନିର୍ଭରଶୀଳ ନଥିଲେ। ମାତ୍ର ବ୍ୟଥିତ ଥିଲେ ପୁଅର ଏପରି ବେହିସାବୀ ଖର୍ଚ୍ଚ ପାଇଁ। ୨୦୦୯ର କଥା ପ୍ରାୟ। ମଉସା ମାଉସୀ ଦିଲ୍ଲୀ ଆସିଥାନ୍ତି, ମାସ ଅଧାଅଧି, ଭାଇଙ୍କ ହାତ ଶୂନ, ଭାଇ ଫୋନ କରୁଥାନ୍ତି ସେଇ ଲୋକକୁ ଯାହାଠାରୁ ସେ ନିୟମିତ ଭାବେ ପଇସା ସୁଧରେ ଆଣନ୍ତି। ଫୋନରେ କଥାବାର୍ତ୍ତାକୁ ଶୁଣି ପାରିଲେ ମଉସା। ତାଙ୍କ ପାଇଁ ବ୍ୟସ୍ତ ନହେବାକୁ କହି ଭାଇଙ୍କ ହାତକୁ ବଢ଼େଇ ଦେଲେ କିଛି ଟଙ୍କା। ଭାଇ କହିଲେ, ଆର ମାସରେ ପ୍ରମୋସନ, ତାପରେ ଆଉ ଅସୁବିଧା ରହିବନି। ତାରି ଉପରେ ହିଁ ମଉସା କହିଥିଲେ, ଯେ ଯାଏ ସଞ୍ଚୟ କରିବା ଶିଖିନ, ମାସକୁ ଯେତେ ରୋଜଗାର କଲେ ବି ଅକୁଳାଣ ପଡିବ। ଆଉ ପଇସାର ସଠିକ ପରିଚାଳନା ଓ ସଞ୍ଚୟ ଶିଖିଥିଲେ ଟଙ୍କା ପାଞ୍ଚ ହଜାରରେ ବି କାହା ପାଖରେ ହାତ ନପାତି ଚାରି ପ୍ରାଣୀ କୁଟୁମ୍ବ ଚଳେଇ ହେବ।

୨୦୧୦-୧୧ ବେଳକୁ ଆସରର ପ୍ରାୟ ସମସ୍ତଙ୍କ ବାହାଘର ସରିଗଲା। କିଛି ଦିଲ୍ଲୀ ଛାଡି ଅନ୍ୟ ସହରକୁ ବି ଚାଲିଗଲେ। ଭାଇ ବି ୨୦୧୨ ବେଳକୁ ଗୌହାଟୀ ବଦଳି ହୋଇ ଗଲେ। ପାରିବାରିକ ଓ ପେଶାଦାର ଚାପରେ ସମ୍ପର୍କ ବର୍ଷକୁ ଚାରି ଛଅ ଥର ଫୋନ କଲ ଓ ଫେସବୁକ ଚାଟରେ ସୀମିତ ରହିଲା। ୨୦୧୮ ବେଳକୁ ଜାଣିଲି ଯେ ମଉସା କ୍ୟାନସରର ଶେଷ ଅବସ୍ଥାରେ ଏବଂ ତାଙ୍କର ଦେଖାଶୁଣା ପାଇଁ ଅଭିଜିତ ଭାଇ ତାଙ୍କ ଅଫିସର ଭୁବନେଶ୍ୱର କାର୍ଯ୍ୟାଳୟକୁ ବଦଳି ହୋଇ ଆସିଛନ୍ତି।

ମଉସା ଚାଲିଗଲେ ଏଇ ମାର୍ଚ୍ଚରେ। ବୀମା ବାଦ ଚିକିତ୍ସାରେ ପଇସା ପାଣି ପରି ଖର୍ଚ୍ଚ କରିଥିଲେ ଅଭିଜିତ ଭାଇ। ଶୁଦ୍ଧିକ୍ରିୟା ଦିନ ମୁଁ ଓ ସୁଜିତ ପହଁଚିଲୁ ଭାଇଙ୍କ ଗାଁ ଘରେ। ଦେଖିଲେ ଶୁଦ୍ଧ ଘର ନା କୌଣସି ଉତ୍ସବ ତାହା ଠଉରେଇବା କଷ୍ଟ ହେଉଥିଲା। ସୁଜିତ ଓ ମୁଁ ଭାଇଙ୍କୁ ଗୋଟେ କଣକୁ ଡାକି ନେଇ ପଚାରିଲୁ, ଭାଇ କିଛି ଆବଶ୍ୟକତା ଅଛି କି? ଆମେ ଦୁହେଁ ହାତରେ କ୍ୟାଶ ଧରି ଆସିଛୁ। ଭାଇ ହସିଲେ ଆଉ କହିଲେ ଅଛିରେ ମୋ ପାଖେ। ବାପାଙ୍କ ସେଦିନ ଘଟଣା ପରେ, ଗୋଟିଏ ଆକାଉଣ୍ଟରେ ମାସକୁ ପାଞ୍ଚ ହଜାର ଟଙ୍କା ରଖୁଥିଲି ଓ ତାକୁ କେବେ ନଛୁଇଁବାର ଶପଥ ବି ନେଇଥିଲି। ସେଇଟା ଦଶ ବର୍ଷରେ ସୁଧ ମୂଳ ମିଶି ପାଖାପାଖି ସାତ ଆଠ ଲକ୍ଷ। ଯାହାଙ୍କ ପାଇଁ ଏ ଅଭ୍ୟାସ ହେଇଥିଲା, ତାଙ୍କରି କାମରେ ହିଁ ଲାଗିଲା।

“ଜୀବନ ସଂଚିବାକୁ ନୁହେଁ, ବଞ୍ଚିବାକୁ ଆସିଛି”, “କାଲି କିଏ ଦେଖିଛି”- ଇତ୍ୟାଦି ଇତ୍ୟାଦି ଲକ୍ଷେ ଯୁକ୍ତି ଦିଆଯାଇପାରେ ସଂଚୟ ନ କରିବା ସମର୍ଥନରେ। ହେଲେ ସଂଚୟ ପାଇଁ ମଉସାଙ୍କ ସେଇ ଦୁଇ ପଦ -”ଯେ ଯାଏଁ ସଞ୍ଚୟ କରିବା ଶିଖିନ, ମାସକୁ ଦଶ ଲକ୍ଷ ରୋଜଗାର କଲେ ବି ସିଏ କେଉଁ କାମକୁ ନୁହେଁ। ଗୋଟିଏ ଟଙ୍କା ସଞ୍ଚୟ ଗୋଟିଏ ଟଙ୍କା ଅଧିକ ରୋଜଗାରଠାରୁ ଅଧିକ ମୂଲ୍ୟବାନ ଓ ମହତ୍ୱପୂର୍ଣ୍ଣ” ହିଁ ଯଥେଷ୍ଟ।